କ୍ଷତିପୂରଣ ରାଶି ଅପେକ୍ଷାରେ ପୀଡିତା

Spread the love

ଭଦ୍ରକ : ଚାରିବର୍ଷ ପୂର୍ବେ ଟୁ୍ୟବୋକ୍ଝମି ବା ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା। ଅସ୍ତ୍ରୋପଚାରର ୨ ଦିନ ପରେ ସଂପୃକ୍ତା ମହିଳାଙ୍କୁ ପ୍ରଥମେ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଶ୍ରୀରାମ ଭଞ୍ଜ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସମୟରେ ସଂପୃକ୍ତା ମହିଳା ସୁସ୍ଥ ଥିଲେ ମଧ୍ୟ ସରକାରୀ ନିୟମରେ ଥିବା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଜନିତ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ଏଯାବତ୍ ପାଇନାହାଁନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନ ଊଭୟ ପୀଡିତା ଓ ଆୟୁକ୍ତଙ୍କ ନିକଟରେ ଅଭିେଯାଗ କରିଥିବା ସାମାଜିକ କର୍ମୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଚାନ୍ଦବାଲି ବ୍ଲକ୍ ସୁନ୍ଦରପୁର ଦୋହରପାଟଣା ଗ୍ରାମର ଭରତ ପଲାଇଙ୍କ ପତ୍ନୀ ମମତା ପଲେଇ ୨୦୧୯ ମସିହା ଡିସେମ୍ବର ୨୭ ତାରିଖ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ପାଇଁ ଅସ୍ତ୍ରୋପଚାର କରିଥିଲେ। ଡାକ୍ତର ପିକେ ସାହୁ ଉକ୍ତ ଅପରେସନ କରିଥିଲେ । କିନ୍ତୁ ଅସ୍ତ୍ରୋପଚାରର ୨ ଦିନ ପରେ ଅର୍ଥାତ୍ ସେହି ମାସ ୨୯ ତାରିଖ ପେଟରେ ମମତା ଭୀଷଣ ଯନ୍ରଣା ଅନୁଭବ କରିଥିଲେ। ତାଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଖରାପ ଆଡକୁ ଗତି କରିବାରୁ ମମତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ମମତା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ସ୍ବାଭାବିକ୍ ଜୀବନଯାପନ ଅତିବାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସରକାରୀ ନିୟମାନୁଯାୟୀ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପାଇବା କଥା। ଏହି ପ୍ରସଙ୍ଗରେ ୨୦୨୦ ମସିହାରେ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ । ମାନ୍ୟବର ଆୟୋଗ ଏହାର ବିଚାର କରିବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟକୁ ପଠାଇ ଦେଇଥିଲେ। ଏହି ମାମଲା ଏବେ ମଧ୍ଯ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ବିଚାରାଧୀନ ରହିଛି। ଏହି କ୍ରମରେ ଆସନ୍ତା ଅଗଷ୍ଟ ମାସ ୭ ତାରିଖ ସୁଦ୍ଧା ଉଭୟ ଅଭିଯୋଗକାରୀ ଓ ପୀଡିତା ମହିଳା ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ୩ ବର୍ଷ ପରେ ମଧ୍ୟ ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ନମିଳିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *