ବାହାନଗା ରେଳ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୩୮ କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରୀ

Spread the love

ଭୁବନେଶ୍ଵର/ବାଲେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୮ କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୮୫୦ରୁ ଅଧିକ ରହିଛି । ଆହତଙ୍କୁ ବାଲେଶ୍ଵର ଓ ଭଦ୍ରକର ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ବର୍ତମାନ ସୁଦ୍ଧା ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୩୮ ରହିଥିବା ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର (ଏସଆରସି) ସ୍ପଷ୍ଟ କରିଛନ୍ତି । ତେବେ ଦୁର୍ଘଟଣାସ୍ଥଳରେ ବହୁସଂଖ୍ୟାରେ ମୃତଦେହ ପଡ଼ିରହିଥିବା ବେଳେ ଡାକ୍ତରଖାନା ମାନଙ୍କରେ ବହୁ ଗୁରୁତର ପ୍ରାଣ ହରାଇଛନ୍ତି । ସେଠାରେ ମୃତଦେହଗୁଡ଼ିକ ପଡ଼ିରହିଥିବା ଦେଖିବାକୁ ମିଳିଛି । ସ୍ଵେଚ୍ଛାସେବୀ, ସ୍ଥାନୀୟ ଲୋକଙ୍କ ସହ ଏନଡିଆରଏଫ ଟିମ୍, ଓଡ଼୍ରାଫ ଟିମ୍, ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗ୍ୟାସ୍ କଟର, ପ୍ଲାଜମା କଟର ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବଗିଗୁଡିକୁ କାଟି ଟ୍ରେନ୍ ମଧ୍ୟରେ ଚାପି ହୋଇ ରହିଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।

ହାୱଡାରୁ ଚେନ୍ନାଇ ଅଭିମୁଖେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଗତକାଲି ସଂନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେଶନ ଅତିକ୍ରମ କରୁଥିବା ସମୟରେ କୌଣସି କାରଣରୁ ଏହା ଲାଇନଚ୍ୟୁତ ହୋଇ ପାଖରେ ଅନ୍ୟ ଲାଇନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା । ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୃତଗତିରେ ପାସ୍ କରୁଥିଲା । ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଯାଉଥିବା ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ରହିଛି । ଏଥିରେ କରମଣ୍ଡଳ ଏକ୍ସପ୍ରେସର ୧୫ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପକ୍ଷରେ ଘଟଣାର ଉଚ୍ଚସ୍ତରିୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । କେଉଁ କାରଣରୁ ଟ୍ରେନ୍ ଲାଇନଚ୍ୟୁତ ହେଲା ତାହାର କାରଣ ଖୋଜିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *