ଉଠା ଦୋକାନୀଙ୍କ ବିଏମ୍ସି ଘେରାଉ

Spread the love

ଭୁବନେଶ୍ୱର : ଉଠା ଦୋକାନ ଭଙ୍ଗା ଅଭିଯାନ ବନ୍ଦ କରି ତୁରନ୍ତ ସେମାନଙ୍କୁ ଥଇଥାନ କରିବା ଦାବିରେ ଏଆଇଟିୟୁସି ସହ ଅନୁବନ୍ଧିତ ରାଜଧାନୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ବିଏମ୍ସି ଅଫିସ୍କୁ ଘେରାଉ କରାଯିବା ସହ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ପୂର୍ବାହ୍ନରେ ଅଶୋକ ନଗର, ମାଷ୍ଟରକ୍ୟାଣ୍ଟିନ, ବାୟାବାବା ମଠଛକ ଗଳି, ୧ନମ୍ବର ଥାନା ପାଶ୍ୱର୍ ଗଳି, ଗଣ୍ଡମୁଣ୍ଡା, ଜାଗମରା ଓ ଖଣ୍ଡଗିରି ଅଞ୍ଚଳର ଉଠା ଦୋକାନୀମାନେ ଅଶୋକନଗରଠାରୁ ଠେଲାଗାଡ଼ି ଓ ଟ୍ରଲିମାନ ନେଇ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଶୋଭାଯାତ୍ରାକାରୀମାନେ ମାଷ୍ଟରକ୍ୟାଣ୍ଟିନ ଓ ରାମମନ୍ଦିର ଛକ ଅତିକ୍ରମ କରି ବିଏମ୍ସି ଅଫିସ ନିକଟରେ ପହଞ୍ଚି ଠେଲାଗାଡ଼ି ଦ୍ୱାରା ବିଏମ୍ସି ଗେଟ୍ କୁ ଜାମ୍ କରିଥିଲେ ।

ସେଠାରେ ସଂଘର ସଭାପତି ସୁର ଜେନା ଉଦ୍ବୋଧନ ଦେଇ କହିଲେ- ଉଠା ଦୋକାନୀଙ୍କ ଥଇଥାନ ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ପାର୍ଲାମେଣ୍ଟ ଆଇନ ପାଶ୍ କଲା । ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଲେ । ବିଏମ୍ସି ସେମାନଙ୍କୁ ଷ୍ଟ୍ରିଟ୍ ଭେଣ୍ଡର କାର୍ଡ ପ୍ରଦାନ କଲା । ମୁଖ୍ୟମନ୍ତ୍ରୀ ଫନି ସାହାଯ୍ୟ ଓ କରୋନା ସହାୟତା ଦେଲେ । ତେବେ ସେମାନଙ୍କୁ ଥଇଥାନ ନ କରି ଦୋକାନ ଭଙ୍ଗା ଅଭିଯାନ ଚାଲିଛି କାହିଁକି? ଏହାପରେ ସୁର ଜେନାଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଦଳ ବିଏମ୍ସି କମିଶନରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ଦୋକାନ ଭଙ୍ଗା ଅଭିଯାନ ବନ୍ଦ କରି ଅଶୋକନଗର ଓ ମାଷ୍ଟରକ୍ୟାଣ୍ଟିନ ଉଠା ଦୋକାନୀଙ୍କୁ ରାଜମହଲ ଓ ରାମ ମନ୍ଦିର ମଧ୍ୟରେ ନିର୍ମିତ ଭେଣ୍ଡିଂ ଜୋନରେ ଥଇଥାନ ସହିତ ୧ନମ୍ବର ଥାନା ପାଶ୍ୱର୍ ଗଳି, ବାୟାବାବା ମଠ ଛକ ଗଳି, ଗଣ୍ଡମୁଣ୍ଡାରୁ ଜାଗମରା ଓ ଖଣ୍ଡଗିରିର ଉଠା ଦୋକାନୀମାନଙ୍କୁ ସେହି ଅଞ୍ଚଳରେ ଥଇଥାନ କରିବା; ଠେଲା ଦୋକାନୀମାନଙ୍କୁ ୬୭ଟି ୱାର୍ଡରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରି ସେଠାରେ ଅନୁମତି ଦେବା ପାଇଁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *