ଶିଖରଚଣ୍ଡୀ ପାହାଡ଼ରେ ସମୂହ ବୃକ୍ଷରୋପଣ ଓ ସହୀଦ ସ୍ମୃତିସ୍ତମ୍ଭ ଶିଳାନ୍ୟାସ ୨୨ରେ

Spread the love

ଭୁବନେଶ୍ୱର : ମା’ ଶିଖରଚଣ୍ଡୀ ଆଂଚଳିକ ସୁରକ୍ଷା ସମିତି ପକ୍ଷରୁ ବୁଧବାର ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଢେଙ୍ଗ ସରପଂଚ ତପନ କୁମାର ଚାନ୍ଦ କହିଲେ ଯେ,ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡ଼ ହେଉଛି ବଣ୍ୟପ୍ରାଣୀ ମାନଙ୍କର ଚରାଭୂମି ଓ ଏହା ଏକ ଐତିହାସିକ ପୀଠସ୍ଥଳୀ । ଏଠି ପାଇକମାନେ ମା’ ଶିଖରଚଣ୍ଡୀଙ୍କ ଆଶୀର୍ବାଦ ନେଇ ବ୍ରିଟିଶମାନଙ୍କ ବିରୋଧରେ ସମର ଅଭ୍ୟାସ ସହ ଗରିଲା ଯୁଦ୍ଧ କରିଥିଲେ ଯାହା ଓଡ଼ିଶା ଇତିହାସରେ ଖୋର୍ଦ୍ଧା ଦର୍ପଣ ପୁସ୍ତକରେ ଲେଖାଅଛି । ବାସ୍ତବରେ ଏହା ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସର ମୁକସାକ୍ଷୀ, ଜୈବ ବିବିଧତାର ପ୍ରାଣକେନ୍ଦ୍ର ଓ ଭୁବନେଶ୍ୱରର ଫୁସ୍‌ଫୁସ୍ । ତେଣୁ ଏହି ଶିଖରଚଣ୍ଡୀ ପାହାଡ଼କୁ ନଷ୍ଟ କରି ଏଠାରୁ ବୃକ୍ଷରାଜି କାଟି କୌଣସି ପରିସ୍ଥିତିରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଚେତାବନୀ ଦେଇଛନ୍ତି ।

ସେମାନେ ଦର୍ଶାଇଛନ୍ତି ଯେ, ଗ୍ରୀନ ଟ୍ରିବୁନାଲରେ ଏହା ବିଚାରଧୀନ ଥିବାବେଳେ ଜଣେ ତେଲୁଗୁ ଠିକାଦାର  ଟ୍ରିବୁନାଲର ଆଦେଶକୁ ଅବମାନନା କରି ବର୍ତ୍ତମାନ ସୁଦ୍ଧା ପାହାଡକୁ ନଷ୍ଟ କରିବା ସହ ଗଛଲତା କାଟି ଏହା ଉପରେ ପାଣିଟାଙ୍କି ନିର୍ମାଣ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେଣୁ ଏଥିପାଇଁ ମଧ୍ୟ ହାଇକୋର୍ଟ ତଥା ଗ୍ରୀନ ଟ୍ରିବୁନାଲର ଦୃଷ୍ଟି ଆକର୍ଷଣ କରାଯାଇଛି । ସେହିପରି ଏହି ସ୍ଥାନରୁ କଟା ଯାଇଥିବା ଗଛର ପରିପୂରଣ ପାଇଁ ଆଗାମୀ ୨୨ ତାରିଖ ସକାଳ ୧୦ ଘଟିକା ସମୟରେ ଏଠାରେ ଏକ ସମୂହ ବୃକ୍ଷରୋପଣ କରାଯିବା ସହ ଏକ ସହୀଦ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *