ସଙ୍କଟରେ ଶଙ୍ଖଶିବିର- ସନ୍ଦେହରେ ନୀତି ଓ ନେତୃତ୍ୱ!

ବିଜେଡିରେ ବିଦ୍ରୋହର ବହ୍ନି। ଉପକୂଳରେ ଅରୁଣ, ଶ୍ରୀମୟୀଙ୍କ ବୟାନ ବିଜେଡିକୁ ଦୋହଲାଇଥିଲା ବେଳେ ଦକ୍ଷିଣରେ ଭାସ୍କର ଓ ଲାଲବିହାରୀ ହିମିରିକା ଦଳକୁ ବାଏ ବାଏ କରି ବିଦ୍ରୋହର ନିଆଁକୁ ତେଜିଦେଲେଣି। ବିଜେଡିର ହେଭିଓ୍ୱେଟ ନେତା ତଥା ପୂର୍ବତନ ସାଂସଦ ଏନ୍‌.ଭାସ୍କର ରାଓ ବିଜେଡି ଛାଡ଼ି ନୂଆ ଭାବରେ ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିଛନ୍ତି। ଦଳ ଛାଡ଼ିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ଭାସ୍କର। ଗଲା କିଛିଦିନ ତଳେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି କରିବାକୁ ନେଇ ଭାସ୍କର ଅସନ୍ତୁଷ୍ଟ ଥିଲେ। ସେଥିଲାଗି ଭାସ୍କରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଅନେକ ଆଦିବାସୀ ନେତା ଦଳରୁ ମୁହଁ ଫେରାଇନେଇଛନ୍ତି। ଲାଲବିହାରୀ କହିଛନ୍ତି, ବିଜୁ ସ୍ୱାଭିମାନ ମଞ୍ଚ ସହ ରହି ଜିଲ୍ଲାର ବିକାଶ ଦିଗରେ କାମ କରିବେ। ସେପଟେ ଏହାର କାଉଣ୍ଟର କରିଛନ୍ତି ଜଗନ୍ନାଥ। ବିଜେଡିରୁ ସବୁ ପାଇବା ପରେ ବିଜେଡି ପ୍ରତି ଏଭଳି ବିଶ୍ୱାସଘାତକତା କାହିଁକି ବୋଲି ପାଲଟା ପଚାରିଛନ୍ତି ଜଗନ୍ନାଥ। ବିଜେଡି ଆଗାମୀ ଦିନରେ ସବଳ ହେବ। ବିଜେଡି କେବେ ବି ଦୁର୍ବଳ ନଥିଲା ବୋଲି କହିଛନ୍ତି ଜଗନ୍ନାଥ। ଭୁବନେଶ୍ୱରରେ ତ ଆମଦାନୀ ନେତାଙ୍କୁ ଛାମୁଆ ସଂଗଠନର ନେତୃତ୍ୱ ଦେବା ଦାୟିତ୍ୱକୁ ନେଇ କୁହୁଳିଥିବା ଅସନ୍ତୋଷ ଥମିବାର ନାଁ ଧରୁନି। କଥା ଦେଇ ନେତାଙ୍କୁ ଅଣଦେଖା ଓ ଅବହେଳା କରାଯାଉଛି ବୋଲି ଆରୋପ ଲଦିଛନ୍ତି ବିଜେଡି କର୍ପୋରେଟର ଅଜିତ ବେହେରା। ବିଜେଡିରେ ବାସ୍ତବରେ ଭବିଷ୍ୟତ ଶୂନ। ଏଭଳି ନିଷ୍ପତ୍ତି ନବୀନଙ୍କ ଚିତ୍ରକୁ ହାନି କରୁଛି। କିଛି ନେତା ଏଠି କୋଳି ଖାଇ ମଞ୍ଜି ପୋତିଛନ୍ତି। ଆଉ ନୀରବ ରହିବାର ପ୍ରଶ୍ନ ଉଠୁନି। ଦଳରେ ଗୁରୁତ୍ୱ ନ ମିଳିଲେ ଦଳରେ କାହିଁକି ରହିବୁ। କିଛି ଦିନ ହେଲା ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ଚୟନକୁ ନେଇ ଅସନ୍ତୋଷ ଥମିବାର ନାଁ ଧରୁନି। ଯଦିଓ ନବୀନ ଛାତ୍ର ଓ ଯୁବ ସଭାପତିଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା ପରେ ଏହା ଥମିଛି ବୋଲି ଦାବି କରାଯାଉଥିଲା। କିନ୍ତୁ ବାସ୍ତବରେ ସେୟା ହେଉନି।ଏତିକିବେଳେ ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ସୋସିଆଲ ମିଡିଆ ପୋଷ୍ଟ ବିଜେଡିରେ ହଇଚଇ ଖେଳାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟିଂରୁ ଦୂରେଇ ରହିବା ନିଷ୍ପତ୍ତିକୁ ପିଲିଟିକାଲ ସୁଇସାଇଡ୍ ବୋଲି କହିଛନ୍ତି ତଥାଗତ। ଆଉ ଏଭଳି ପୋଷ୍ଟକୁ ନେଇ ବିଜେଡି ନେତାଏ କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଓ ବୃହତ୍ତମ ଆଞ୍ଚଳିକ ଦଳ। ନବୀନଙ୍କ ନେତୃତ୍ୱରେ ଦଳ ସୁସଂଗଠିତ ଅଛି। କିଏ କଅଣ କହିଲା ଫରକ୍ ପକାଏନା। ବିଜେଡିରେ ଅଲ୍ ଇଜ ନଟ ଓ୍ୱେଲ୍। ନୀତି ଓ ନେତୃତ୍ୱକୁ ନେଇ ବିବାଦ ତ କେଉଁଠି ବିଦ୍ରୋହ। ଏଭଳି ପରିସ୍ଥିତିରେ ବିଜେଡିର ଭବିଷ୍ୟତକୁ ନେଇ ସବୁଠି ସନ୍ଦେହର ବାଦଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *