ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି : ବିଜେପି

Spread the love

ଝାରସୁଗୁଡା/ଭୁବନେଶ୍ୱର – ବିଜେଡି ମୁଖିଆ ନବୀନ ବାବୁ ସର୍ବଦା ମହିଳାଙ୍କ ସମ୍ମାନ, ଆଦର, ସୁରକ୍ଷା କଥା କହୁଛନ୍ତି କିନ୍ତୁ ବାସ୍ତବ ଛବି ଓଡିଶାବାସୀ  ଜାଣନ୍ତି । ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରି ଚାଲିଛି ।  ମୁଖ୍ୟମନ୍ତ୍ରୀ ଗୋଟିଏ ମିଛକୁ ବାରମ୍ବାର ଦୋହରାଇ ସତ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ।  ନବୀନ ବାବୁଙ୍କ ୨୩ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଏକଥା ଏନସିଆରବି ରିପୋର୍ଟରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ମମିତା ମେହେର ସହ ଯେଉଁ ଜଘଂନ୍ୟ କାଣ୍ଡ ହେଲା ତାହା କଣ ମାଙ୍କୁ ସମ୍ମାନ?  ମମିତାଙ୍କୁ ହତ୍ୟା କରାଯାଇ ତାର ଶରୀରକୁ ଅଧା ପୋଡା କରି ମାଟିରେ ପୋତାଗଲା ।  ରୋଜଗାର କରି ପରିବାର ଚଳାଉଥିବା ଝିଅକୁ ଏପରି ହତ୍ୟା କରାଯିବା ନବୀନ ବାବୁଙ୍କ ମାକୁ ସମ୍ମାନ କି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ ପଚାରିଛନ୍ତି ।

ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ଆହୁରି କହିଛନ୍ତି ଯେ, ନୟାଗଡର ୫ବର୍ଷର ଶିଶୁ ପରୀ ନିଖୋଜ ହେବାପରେ ବାପା ମା ପୋଲିସ ପାଖରେ ଫେରାଦ ହେଲେ । ୮ମାସ ପରେ ଅଖାରୁ ହାଡ ମିଳିଲା । ଘଟଣାକୁ ଚାପି ଦେବା ପାଇଁ କ୍ରାଇମବ୍ରାଂଚ ତଦନ୍ତର ନାଟକ ରଚାଗଲା ।  ସେତେବେଳେ ସେହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି କଥା ଆସିଥିଲା । ହେଲେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ତଦନ୍ତ କରାଇ ଅରୁଣ ସାହୁଙ୍କୁ କ୍ଲିନଚିଟ୍ ଦିଆକରାଇଲେ । ଆଜି ବି ପରିର ବାପାମାଆ ତାଙ୍କର ହତ୍ୟାକାରୀକୁ ଦଣ୍ଡ କେବେ ମିଳିବ ଚାହୌିଁ ବସିଛନ୍ତି ।

ବିଜେଡି ଅଫିସ ଉଦଘାଟନ ଦିନ ସଂଯୁକ୍ତା ମହଲା ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ବିଜେଡି ଅଫିସରୁ କାନ୍ଦି କାନ୍ଦି ଫେରିଲେ ।ସେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ପଦେ ପାଟି ଖୋଲିଲେ ନାହିଁ । ସେ ଶ୍ରମମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କଲେ, ଥାନାରେ ଆସି ମନ୍ତ୍ରୀଙ୍କ ନାଁରେ ଏତଲା ଦେଲେ ଓ ଗଣମାଧ୍ୟମ ସାମ୍ନାରେ ମନ୍ତ୍ରୀଙ୍କ ନାଁ କହିଲେ ।  ତାଙ୍କର ଡାକ୍ତରୀ ମାଇନା ମଧ୍ୟ ହୋଇଥିଲା, ସେ ଆଜିବି ନ୍ୟାୟ ପାଇନାହାନ୍ତି । ଆଉଜଣେ ବିଧାୟକ ବିଜୟ ଶଙ୍କର କେଉଁ ର‌୍ୟାକେଟ ଚଲାଉଥିଲେ ସେ କଥା ସମସ୍ତଙ୍କୁ ଜଣା । ସୋନାଲିକାଙ୍କୁ କିପରି ନିର୍ଯ୍ୟାତନା ଦେଲେ ସେକଥା ସମସ୍ତେ ଜାଣିଛନ୍ତି । ସେତେବେଳେ ବି ମୁହଁ ଖୋଲିଲେନି ମୁଖ୍ୟମନ୍ତ୍ରୀ । ସ୍ମିତାରାଣୀଙ୍କ ସମ୍ପର୍କ ବିଧାୟକ ପ୍ରଣବଙ୍କ ସହ ବାହାରିଲା । କେଉଁଠି ଅଟକିଲା ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ତଦନ୍ତ । କାହିଁ ମୁଖ୍ୟମନ୍ତ୍ରୀଙ୍କ ସେତେବେଳେ ମାଙ୍କ ସମ୍ମାନର କଥା ମନେ ପଡିଲାନି । ମୁଖ୍ୟମନ୍ତ୍ରୀ ଏ ବୟସରେ ମିଛର ଆଶ୍ରୟ ନେଉଛନ୍ତି ଓ ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ମହିଳା ସମ୍ମାନ କେବଳ ନିର୍ବାଚନୀ  ମୋହରା ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *