ବିଜେଡିରୁ ମୁହଁ ଫେରାଇନେବାର ସିରିଜ ଜାରି ରହିଛି। ଏହି କ୍ରମରେ ପାଣ୍ଡିଆନଙ୍କ ବିରୁଦ୍ଧରେ ବିଷୋଦଗାର କରି ଦଳ ଛାଡ଼ିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ। ଛାତ୍ର ଓ ଯୁବ ସଭାପତି ଚୟନରେ ପାଣ୍ଡିଆନଙ୍କ ଭୂମିକା, ବିଜେଡିକୁ କବଜା କରିବାର ଚକ୍ରାନ୍ତ, ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା ସତ୍ତ୍ୱେ ନବୀନ ଅନ୍ଧପୁଟୁଳି ବାନ୍ଧିଥିବାର ଆରୋପ ଲଦିଛନ୍ତି ହରିଶଙ୍କର। ନବୀନଙ୍କ ପାଣ୍ଡିଆନ ପ୍ରୀତି ଲାଗି ବିଜେଡି ଏବେ ବି କୋଟରୀ ଗ୍ରୁପ ଦ୍ୱାରା ପରିଚାଳିତ। ବ୍ୟୋମକେଶ ରାୟଙ୍କ ଭଳି ଅନେକ ନେତା ଏଥିରେ ସାମିଲ ବୋଲି କହିଛନ୍ତି ହରିଶଙ୍କର। ଦେବାଶୀଷ, ଭୁପିନ୍ଦର, ରଣେନ୍ଦ୍ର, ଅରୁଣ, ଶ୍ରୀମୟୀଙ୍କ ପରେ ବିଜେଡି ପରିଚାଳନାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଦଳ ଠିକ୍ ଭାବେ ନ ଚାଲିଲେ ଦଳ ଛାଡ଼ିବି ବୋଲି କହିଲେଣି ପ୍ରଫୁଲ୍ଲ। ବିଜେଡିରେ ଆଉ ପୂର୍ବ ବିଚାରାଧାରା ନାହିଁ। ଦଳକୁ ସଂଗଠିତ କରିବାକୁ ଅନେକ ପ୍ରସ୍ତାବ ଗ୍ରହଣ କରାଯାଇନି। ନୂଆ ବିଜେଡି ଗଠନର ସମୟ ନୁହେଁ, ଏବେ ପୁରୁଣାର ସଠିକ୍ ପରିଚାଳନା ଦରକାର। ବିଜେଡି ଠିକ୍ ଢଙ୍ଗରେ ବିରୋଧୀଦଳର ଭୂମିକା ତୁଲାଇପାରୁନି। ସେ ବିଜେଡିରେ ଥିଲେ ବି ସାଂଗଠନିକ କାମରେ ସାମିଲ୍ ହେଉନାହାନ୍ତି। ସେପଟେ ପ୍ରଫୁଲ୍ଲଙ୍କୁ କଡ଼ା କାଉଣ୍ଟର କରିଛନ୍ତି ପ୍ରତାପ ଜେନା। ପ୍ରଫୁଲ୍ଲ ମଲ୍ଲିକ ଶତାବ୍ଦୀର ବଡ଼ ସୁବିଧାବାଦୀ। ପ୍ରଫୁଲ୍ଲଙ୍କ ବୟସ ୮୦ ପାର୍ ହେଲାଣି। ନବୀନ ସରକାର ଅମଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଥିଲେ। ଏବେ ଦଳ କ୍ଷମତାରେ ନଥିବାରୁ ପ୍ରଶଂସା ବଦଳରେ କଟାକ୍ଷ କରୁଛନ୍ତି। ବିଜେଡିର ନୀତି, ନେତୃତ୍ୱ ସଙ୍କଟରେ ପଡ଼ିଲାଣି କି। କାହିଁକି ବିଜେଡିରୁ ମୁହଁ ଫେରାଇ ନେଉଛନ୍ତି ନେତାଏ। ଅମର କଅଣ ଦେଖି କହିଲେ ଯେ, ନୂଆ ବିଜେଡି ମୁଣ୍ଡ ଟେକିବାକୁ ଯାଉଛି। ବିଜେଡି ଏବେ ବି ନିର୍ଦ୍ଦିଷ୍ଟ କୋଟରୀ ଗ୍ରୁପ୍ ଦ୍ୱାରା ପରିଚାଳିତ କି। କାହିଁକି ନେତାଏ ନିଇତି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଳର ପରିଚାଳନାକୁ ଇଙ୍ଗିତ କରି କଟାକ୍ଷ କରୁଛନ୍ତି। ନାନା ଉପାଖ୍ୟାନ ଦେଇ ଦଳର ଗୋହି ଖୋଳୁଛନ୍ତି। ଦଳକୁ କିଏ ବାଏ ବାଏ କଲାଣି ତ କିଏ ଗୋଡ଼ ଟେକି ବସିଛି। କିଏ ବିଜୁ ସ୍ୱାଭିମାନ ମଞ୍ଚ ଗଢ଼ିଲାଣି ତ କିଏ ସାଇବେରିଆନ ପକ୍ଷୀର ଟ୍ୟାଗଲାଇନ ଲଗାଇ ସ୍ୱାଭିମାନ ନଥିବା କହି ଦୂରତା ରଖିଲାଣି।
Naxatra News is now on Whatsapp
Join and get latest news update delivered to you via whatsapp
Join Now