ବିଜେଡିର ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣାକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା କନ୍ଦଳର ନିଆଁ ପୁରା ଲିଭିନି। ଦଳର ନିଷ୍ପତ୍ତିକୁ ଯଦିଓ କିଛି ନେତା ଗ୍ରହଣ କରିପାରିନାହାନ୍ତି। ତା ସତ୍ତ୍ୱେ ନବୀନଙ୍କ ନେତୃତ୍ୱକୁ ମାନିବା ଛଡ଼ା କୌଣସି ବିକଳ୍ପ ନାହିଁ ନ୍ୟାୟରେ ଚୁପ୍ ରହିବାକୁ ବାଧ୍ୟ ହୋଇଛନ୍ତି। ମେଳି ବାନ୍ଧିବା ଦେଖି ନବୀନ ନିବାସକୁ ଡାକି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଏହି ବିଦ୍ରୋହକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ସୁପ୍ରିମୋ। ଉଭୟ ସଂଗଠନର ସଭାପତି ଓ ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ। ଏହା ସହ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ଓ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁଙ୍କ ନାଁ କେଉଁ ଆଧାରରେ ଓ କାହା ଲବିରେ ଚୟନ କରାଗଲା କହି ଅସନ୍ତୋଷ ଝାଡ଼ୁଥିଲେ। ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ତେବେ ତାରକା ହୋଟେଲ, ଶଙ୍ଖଭବନରୁ ନେଇ ନବୀନ ନିବାସ ଯାଏ ପ୍ରତିବାଦର ମେଳି ଭିନ୍ନ ସଙ୍କେତ ଦେଉଥିଲା। ଆଉ ସୁପ୍ରିମୋଙ୍କ ସହ ବୈଠକ ଓ ସୁପ୍ରିମୋଙ୍କ ବାର୍ତ୍ତା ପରେ ଏବେ ଆଶ୍ୱସ୍ତ ହୋଇଛନ୍ତି ଇପସିତା। ଇପସିତା କହିଛନ୍ତି, ସେମିତି ମନୋମାଳିନ୍ୟ ନାହିଁ। ରାଜନୀତିରେ ସମସ୍ତଙ୍କ ମନରେ ଆଶା ରହିବା ସ୍ୱାଭାବିକ। ଯାହାର ଆଶା ମଉଳିଥିବ, ସେ ମନ ଉଣା କରିଥିବେ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ସୁପ୍ରିମୋ କହିବା ପରେ ସବୁ ଅସନ୍ତୋଷ ଥମିଛି। ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ଗୋଟିଏ ପରିବାର ଭିତର ନିଷ୍ପତ୍ତି କାହାକୁ ଖୁସି କରେ ତ କାହାକୁ ଦୁଃଖୀ କରିବା ସ୍ୱାଭାବିକ କଥା। ଯେଉଁ ବିବାଦ, ବିଦ୍ରୋହ ବା ଅସନ୍ତୋଷ କଥା କୁହାଯାଉଛି, ତାହା ବେଶୀ ଦିନ ଯାଏଁ ରହିବନି। ବୃହତ୍ତର ସଂଗଠନ ବ୍ୟବସ୍ଥା ଭିତରେ ଏ ସବୁ ଛୋଟ ଛୋଟ କଥା ମିଳେଇଯିବ। ସେପଟେ ଛାତ୍ର ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବମାନ୍ୟ ଅଟେ। କାହା ମନରେ କିଛିଟା ଅସନ୍ତୋଷ ଥିଲେ ବି ସେ ଦୂର ହୋଇସାରିଛି। ଏକାଠି କାମ କରିବାକୁ ସମସ୍ତେ ପଣ କରିଛନ୍ତି। ଶଙ୍ଖ ଭବନରେ ଏ ସମ୍ପର୍କିତ ବୈଠକ ହୋଇଛି। ସମସ୍ତଙ୍କୁ ସଂଗଠିତ କରି ଆଗକୁ ବଢ଼ିବାକୁ ଆହ୍ୱାନ ଦିଆଯାଇଛି। ଏକଦା ଛାତ୍ର ରାଜନୀତିରେ ଉଭୟ ଇପସିତା ଓ ଚିନ୍ମୟଙ୍କ ବେଶ୍ ଦଖଲ ଥିଲା। ବିଳମ୍ୱରେ ହେଲେ ବି ସେମାନଙ୍କ ଦକ୍ଷତାକୁ ଉପଯୋଗ କରିବାକୁ ଦଳ ସୁଯୋଗ ଦେଇଛି। କିନ୍ତୁ ଚୟନ ହେଉ ହେଉ ବିବାଦ ଓ ବିଦ୍ରୋହର ବହ୍ନି ଜଳିଲାଣି। ଛାତ୍ର ସଂସଦ ନିର୍ବାଚନ ବା ଆସନ୍ତା ପଞ୍ଚାୟତ ପୌର ନିର୍ବାଚନରେ ଯୁବବର୍ଗର ଜୋସ୍ ଏହା ଦ୍ୱାରା ପ୍ରଭାବିତ ହେବ ନା ନାହିଁ, ସମୟ କହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now