ବିଜୁଳି କାଟ୍ ପ୍ରତିବାଦରେ କାଲିଠୁ ଟାଟା ପାୱାରର ସବୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

Spread the love

ଭୁବନେଶ୍ୱର : ରାଜ୍ୟରେ ଘନ ଘନ ବିଦ୍ୟୁତ୍ କାଟ୍ , ଶକ୍ତି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କମ୍ପାନୀ ପ୍ରୀତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀ ତରଫରୁ ଆସନ୍ତା କାଲି ଜୁନ୍ ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ ଡିଗ୍ରୀ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ବିଜୁଳି କାଟ୍ ପ୍ରତିବାଦରେ ସ୍ୱର ଉତୋଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି । କେବଳ ମାତ୍ର ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ବିଜୁଳି କଟ୍ ହେବା ଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୧୫-୨୦ ମିନିଟ୍ର କାଳବୈଶାଖୀରେ ରାଜଧାନୀ ଭୁବନଶ୍ୱେର ସମେତ ଓଡିଶାର ବିଭିନ୍ନ ସ୍ଥାନରେ ୨୪ ଘଂଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଲା । ପାୱାର କଟ୍କୁ ପାୱାର ଟ୍ରିପ୍ ବୋଲି କହି ବିଭାଗୀୟ ମନ୍ତ୍ରୀ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଢିଲେ ଏବଂ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଲେ । ବାସ୍ତବରେ ଓଡିଶା ସରକାର ଟାଟା ପାୱାର ଆଗରେ ବନ୍ଧା ପଡିଛନ୍ତି ।

ରାଜ୍ୟବାସୀ କେତେ ଘଣ୍ଟା ବିଜୁଳି କାଟ୍ ର କଷ୍ଟ ସହିବେ, ତାହା ଶ୍ୱେତପତ୍ର ଜରିଆର ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ଶକ୍ତି ବିଭାଗ ମନ୍ତ୍ରୀଙ୍କ ଅବହେଳା ଓ ଟାଟା ପାୱାର କଂପାନୀ ପ୍ରୀତି ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *