ସୀମା ବିବାଦକୁ ନେଇ ତେଜୁଛି ରାଜନୀତି

Spread the love

ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମା ବିବାଦକୁ ନେଇ ପୁଣି ଥରେ ତେଜିଛି ରାଜନୀତି । ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାସହ ସର୍ବଦଳୀୟ ବୈଠକ ଡକାଇ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷପ ନେବାକୁ ଅନୁରୋଧ କରିଛନ୍ତି । ଏପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । କଂଗ୍ରେସ କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ନିଶାନା କରିଛି ।

କେବେ ହେବ ସୀମା ବିବାଦର ସମାଧାନ?  କିଏ ଓ କେମିତି କରିବେ ସମାଧାନ ? ରାଜନୈତିକ ପଶାପାଲିରେ ପେଶିହେବେନି ତ ସୀମାନ୍ତ ଗ୍ରାମ ?

ସୀମାନ୍ତ ଗ୍ରାମଗୁଡ଼ିକୁ ଲଭୋନୀୟ ଯୋଜନା ଦେଖାଇ କବଜାକୁ ନେବାକୁ ଲାଗିପଡ଼ିଛନ୍ତି ଆନ୍ଧ୍ର ସରକାର । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଚେତାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣା ସୀମାବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷପ କରିବା ଆବଶ୍ୟକ ବୋଲି ଚିଠି ଲେଖିଛନ୍ତି । ଏହାସହ ସର୍ବଦଳୀୟ ବୈଠକ ଡକାଇ ସୀମାନ୍ତ ଅଞ୍ଚଳର ବିକାଶର ଚିଠା ଉପସ୍ଥାନ ପାଇଁ ମଧ୍ୟ ଦାବି ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ସିଧାସଳଖ ଭାବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପଡୋଶୀ ରାଜ୍ୟ ଦାଦାଗିରି ଦେଖାଉଥିବା ବେଳେ  ରାଜ୍ୟ ସରକାର କାହିଁକି ନୀରବ  ବୋଲି ପ୍ରଶ୍ନ କରିଛି ବିଜେପି । ବିଜେପି ପ୍ରଶ୍ନର କଡ଼ା ଜବାବ ଦେଇଛି ବିଜେଡ଼ି । ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର । ସବୁ ପ୍ରକାର ପଦକ୍ଷେପ ରାଜ୍ୟ ସରକାର ନେଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ।

ଏପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ରମନ୍ତ୍ରୀ କେବଳ ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ଯଦି ସମସ୍ୟାର ସମାଧାନ ପାଇଁ ଆନ୍ତରିକତା ଥିଲା, ପ୍ରଧାନମନ୍ତ୍ରୀଙ୍କୁ କହି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ । ସେପଟେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆନ୍ଧ୍ର ରାଜ୍ୟର ଅନେକ ଅଂଚଳ ଅକ୍ତିଆର କରିସାରିଥିବା କହିଛନ୍ତି ପୂର୍ବତନ ଜିଲ୍ଲାପାଳ ।

ତେବେ ସିମା ବିବାଦ ରାଜ୍ୟ ପାଇଁ ନୂଆ ନୁହଁ । ବିଭିନ୍ନ ସମୟରେ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଆସି ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ତିଆରି କରୁଛି । ଏମିତି କି କିଛି ସ୍ଥାନରେ ନିର୍ବାଚନ ମଧ୍ୟ କରିଛି । ହେଲେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ସବୁବେଳେ ପ୍ରଶ୍ନ ଉଠିଛି । ଏତିକି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ରାଜ୍ୟ ସରକାରଙ୍କୁ ପୁଣିଥରେ କାଠଗଡାକୁ ଟାଣିଛି ।

ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *