ଇଙ୍କଫେଷ୍ଟ-୨୦୨୩ ପଞ୍ଚମ ପୁସ୍ତକ ମେଳା ଆୟୋଜିତ

Spread the love

ସୁବର୍ଣ୍ଣପୁର: କୁହାଯାଏ ମଣିଷର ପ୍ରକୃତ ସାଥୀ ପୁସ୍ତକ ଅଟେ । ସୁବର୍ଣ୍ଣପୁର ସହରର ରୟାଲ ପଡିଆ ଠାରେ ଏପରି ଏକ  ଜ୍ଞାନର ପରିବେଶ ସୃଷ୍ଟି ହୋଇଛି ପୁସ୍ତକ ମେଳାରେ । ସାତ ଦିନ ଧରି ସହରର ସାହିତ୍ୟ ପ୍ରେମୀ ଓ ବୁଦ୍ଧଜୀବୀମାନଙ୍କର ଉଦ୍ୟମରେ ଆୟୋଜିତ ହୋଇଛି ଇଙ୍କଫେଷ୍ଟ-୨୦୨୩ ପଞ୍ଚମ ପୁସ୍ତକ ମେଳା । ତା ସାଙ୍ଗକୁ ସାତ ଦିନ ଧରି ପ୍ରତିଟି ସଂନ୍ଧ୍ୟାରେ ଆୟୋଜିତ ହେଉଛି ସାରସ୍ୱତ ସାହିତ୍ୟ ସମାରୋହ ଓ ଆଲୋଚନା ଚକ୍ର ।

ସୁବର୍ଣ୍ଣପୁର ସହରର ରୟାଲ ପଡିଆ ଠାରେ ଆୟୋଜିତ ହୋଇଛି ଇଙ୍କଫେଷ୍ଟ ବା ବହି ହାଟ । ମାର୍ଚ୍ଚ ୧୪ରୁ  ଆରମ୍ଭ ହୋଇଥିବା ଏହି ବହି ବଜାର ଗତ ସାତ ଦିନ ଧରି ଚାଲିବ । ଏହି ବଜାରରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୪୦ ଟି ପ୍ରକାଶନ ସଂସ୍ଥା ନିଜକୁ ସାମିଲ କରିଛନ୍ତି । ପାଠ୍ୟ ପୁସ୍ତକ ସମେତ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, କବିତା ସଂକଳନ , ନାଟକ ତଥା ଇଂରାଜୀ, ହିନ୍ଦୀ ଓ ଓଡିଆ ସାହିତ୍ୟର ହଜାର ହଜାର ପୁସ୍ତକ ଏହି ବହି ବଜାରରେ ସାମିଲ ହୋଇଛି । ଫଳରେ ପ୍ରତିଦିନ ସଂନ୍ଧ୍ୟାରେ ହଜାର ହଜାର ପୁସ୍ତକ ପ୍ରେମୀ ଓ ସାହିତ୍ୟ ପ୍ରେମୀ ନିଜ ହାତ ପାହାନ୍ତରେ ଭଳିକି ଭଳି ପୁସ୍ତକ ଦେଖିବା ଓ କିଣିବାର ସୁଯୋଗ ପାଉଛନ୍ତି । ସହରର ସାହିତ୍ୟ ପ୍ରେମୀ ଓ ବୁଦ୍ଧିଜିବୀମାନଙ୍କ ଉଦ୍ୟମରେ ଆୟୋଜିତ ହୋଇଥିବା ଇଙ୍କଫେଷ୍ଟ ବା ପଞ୍ଚମ ବହି ହାଟରେ ପୁସ୍ତକ କ୍ରେତା ଯେତିକି ଉତ୍ସାହିତ ଅଛନ୍ତି ସେତିକି ଆନନ୍ଦିତ ହୋଇଛନ୍ତି ବିକ୍ରେତାମାନେ ।

ପଞ୍ଚମ ଥର ଆୟୋଜିତ ହୋଇଥିବା ଏହି ବହି ହାଟରେ ୩୦ ଟି ପ୍ରକାଶନ ସଂସ୍ଥା ୫୦ଟି ଷ୍ଟଲରେ ନିଜ ନିଜର ପୁସ୍ତକ ପ୍ରଦର୍ଶନ କରିଛନ୍ତି । ସାହିତ୍ୟ ପ୍ରେମୀ, ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅବିଭାବକମାନେ ଭିନ୍ନ ଭିନ୍ନ ସ୍ୱାଦର ପୁସ୍ତକ ଦେଖିବା ଓ କିଣିବାର ସୂଯୋଗ ପାଉଛନ୍ତି । ଆୟୋଜକ ମଣ୍ଡଳୀ ପକ୍ଷରୁ ବହି ହାଟ ପଡିଆରେ ପ୍ରତି ଦିନ ସଂନ୍ଧ୍ୟାରେ ଆୟୋଜିତ ହେଉଛି ସାରସ୍ୱତ ସାହିତ୍ୟ ସମାରୋହ ତଥା ଆଲୋଚନା ଚକ୍ର । ଚଳିତ ବର୍ଷ ଏହି ପୁସ୍ତକ ମେଳାରେ ପ୍ରଥମ କରି ଜିଲ୍ଲାର ପକ୍ଷୀପ୍ରେମୀମାନଙ୍କ ଦ୍ବାରା ଉତ୍ତୋଳିତ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଛି । ଏଥିରେ ଜିଲ୍ଲାକୁ ଆସୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଅନେକ ପ୍ରକାର ଫଟୋକୁ ସ୍ଥାନ ଦିଆଯାଇଛି । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ପୁସ୍ତକ ମେଳା ବନ୍ଦ ଥିବା ବେଳେ ଚଳିତ ବର୍ଷ ବଡ ଜାକଜମକରେ ଏହାର ଆୟୋଜନ କରାଯାଇଛି ।ତେବେ ରାଜ୍ୟର ବଛା ବଛା ସାହିତ୍ୟିକ ଓ ଆଲୋଚକମାନେ ଏହି ବହି ହାଟର ସାରସ୍ୱତ ସାହିତ୍ୟ ସମାରୋହ ଓ ଆଲୋଚନା ଚକ୍ରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଧୁନିକ ମଣିଷ ବହି ଠାରୁ ନିଜକୁ ଦୁରେଇ ଦୁରେଇ ନେଉଥିବା ବେଳେ ସୁବର୍ଣ୍ଣପୁର ସହରରେ ପଞ୍ଚମ ଥର ପାଇଁ ଆୟୋଜିତ ଇଙ୍କଫେଷ୍ଟ ବା ବହି ହାଟ ନିଶ୍ଚିତ ଭାବରେ ସଫଳ ହୋଇଛି । 

ଗଣପତି ବାଘଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *