ଭୁବନରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ବଳଦଯାତ୍ରା

ମଣିଷ ଓ ପଶୁ ଭିତରେ ଅନାବିଳ ଭଲ ପାଇବାର ନିଦର୍ଶନ ହେଉଛି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । ଦେଢ଼ ଶହ ବର୍ଷ ତଳର ପାରମ୍ପରିକ ବଳଦ ଯାତ୍ରା ସବୁ ସମ୍ପ୍ରଦାୟ ମଧ୍ୟରେ ଗଢି ତୋଳିଥାଏ ଭାଇଚାରାର ନିଆରା ସମ୍ପର୍କ । ବଳଦକୁ ସାଜସଜ୍ଜା ସହ ଡିଜିଟାଲ ତୋରଣ ଓ ଶୋଭାଯାତ୍ରା ହୋଇଛି ବେଶ ମନଲୋଭା। ଦୁଇ ଦିନ ବ୍ୟାପି ଏହି ଯାତ୍ରାକୁ ଉପଭୋଗ କରୁଛନ୍ତି ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ଆଜିକୁ ଦେଢ଼ ଶହ ବର୍ଷ ଧରି ପାଳନ କରାଯାଉଛି ବିଶ୍ୱ ପ୍ରସିଦ୍ଧ ବଳଦ ଯାତ୍ରା । ପ୍ରଥମେ ଏହି ଯାତ୍ରାକୁ ଭୁବନର ଥୋରିଆ, ବଣିଆ ଓ କାଚେରା ସମ୍ପ୍ରଦାୟର ଲୋକମାନେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କଂସାରୀ, ଅଂଶୀ, ପାଟେରା, କାକୁଡ଼ିଆ, ତୈଳିକ ସମାଜ ସମ୍ପ୍ରଦାୟର ଲୋକମାନେ ବଳଦ ଯାତ୍ରାରେ ସାମିଲ ହୋଇଥିଲେ। ପୂର୍ବରୁ ଏହି ସମ୍ପ୍ରଦାୟର ଲୋକମାନେ ନିଜ ବଳଦକୁ ପୂଜାର୍ଚ୍ଚନା କରି ବାହାରି ଯାଆନ୍ତି ବେପାର ବଣିଜ କରିବା ପାଇଁ । ମାଇଲ ମାଇଲ ବାଟ ଚାଲି ବଳଦ ଉପରେ ଜିନିଷ ପତ୍ର ଭାରକୁ ରଖି ବ୍ୟବସାୟ କରନ୍ତି ।ପ୍ରଥମେ ଏହି ଯାତ୍ରା ପାଇଁ ଅନୁକୂଳ ପୂଜା କରିବାକୁ ପଡିଥାଏ । ବଳଦ ଗୁଡିକୁ ସୁସଜ୍ଜିତ ଓ ବାଦ୍ୟ ଯନ୍ତ୍ରର ତାଳେ ତାଳେ ରୋଷଣୀ କରାଯାଇ ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଇଥାଏ। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ପାଇଁ ଗୁଜୁରିହାଟ ନିକଟକୁ ନିଆଯାଇଥାଏ। ବିଭିନ୍ନ ସମ୍ପ୍ରଦାୟର ବଳଦଙ୍କୁ ଶୋଭାଯାତ୍ରାରେ ସାମିଲ କରାଯାଇ ସମ୍ପୂର୍ଣ୍ଣ ଭୁବନ ପରିକ୍ରମା କରାଯାଇଥାଏ । ଏପରିକି ଜିଅନ୍ତା ଗଡିଶା ମାଛ ଉପରେ ବଳଦକୁ ଚଲା ଯିବାର ପରମ୍ପରା ମଧ୍ୟ ରହିଛି। ଦୁଇ ଦିନ ବ୍ୟାପି ପାଳନ କରାଯାଉଥିବା ଏହି ଯାତ୍ରାରେ ଭୁବନର ବିଭିନ୍ନ ଅନୁଷ୍ଠାନର ୧୩ ଗୋଟି ମେଢ଼ ଓ ୩୨ ଗୋଟି ସୁସଜ୍ଜିତ ବଳଦ ସାମିଲ ହୋଇଥାନ୍ତି । ଇଷ୍ଟ ଦେବୀ ମା ବଞ୍ଜାରୀଙ୍କ ନିକଟରେ ବଳଦ ଯାତ୍ରା ସମାପନ କରାଯାଇଥାଏ। ଏହି ଐତିହାସିକ ବଳଦ ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରୁଖୁରୁରେ ବଳଦ ଯାତ୍ରା  କରିବା ପାଇଁ ମିଳିତ ଶାନ୍ତି କମିଟି ଓ ପୂଜା ଅନୁଷ୍ଠାନ କମିଟିର ସଦସ୍ୟ ମାନେ ଲାଗି ପଡ଼ିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *