ଜୁନ୍ ୩୦ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ୟୁନିଫର୍ମ , ଜୋତା

Spread the love

ଭୁବନେଶ୍ୱର : ଚଳିତ ମାସ ୩୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କୁ ୟୁନିଫର୍ମ, ଜୋତା ପ୍ରଦାନ କରାଯିବ । ଏନେଇ ଗାଇଡଲାଇନ ଜାରି ହୋଇଛି । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ମିଳିବ । ଏହାସହ ଗୋଟିଏ ଟ୍ରାକ୍ ପ୍ୟାଂଟ, ଗୋଟିଏ ଟି-ସାର୍ଟ, ଗୋଟିଏ ଟୋପି ମିଳିବ । ୩୦ ସୁଦ୍ଧା ବଂଟନ ସୁନିଶ୍ଚିତ କରିବାକୁ ସବୁ ଡିଇଓମାନଙ୍କୁ ଓସେପା ନିର୍ଦ୍ଦେଶକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ । ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜଣପିଛା ୫୦୦ଶହ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ଏବଂ ୨୦୦ଶହ ଟଙ୍କା ମୂଲ୍ୟରେ ୧ ହଳ ଜୋତା ଓ ୨ ହଳ ମୋଜା ପ୍ରଦାନ କରାଯିବ । ସେହିପରି ୧୨୫ଟଙ୍କା ମୂଲ୍ୟରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟ୍ରାକ ପ୍ୟାଂଟ ଏବଂ ୩୦ ଟଙ୍କା ମୂଲ୍ୟରେ ଗୋଟିଏ ଟୋପି ଓ ୨୦ ଟଙ୍କା ମୂଲ୍ୟରେ ଗୋଟିଏ ପରିଚୟ ପତ୍ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଂଟନ କରାଯିବ । ସମୁଦାୟ ୧୦୦୦ ଟଙ୍କା ମଧ୍ୟରୁ ୬୦୦ଟଙ୍କା “ସମଗ୍ର ଶିକ୍ଷା” ଯୋଜନାରୁ ଭରଣା କରାଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୀଳ ପ୍ୟାଂଟ ଓ ଧଳା ସାର୍ଟ ଲାଗୁ କରାଯାଇଛି । ପ୍ରଥମରୁ ପଂଚମ ଛାତ୍ରୀମାନଙ୍କୁ ନୀଳ ଫ୍ରକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ନୀଳ କମିଜ ଓ ଧଳା ସାଲୱାର ଦିଆଯିବ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *