ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ରଥ ଟାଣିବା ଲାଗି ଅନୁମତି ମିଳିବ ନା ନାହିଁ ?

Spread the love

ମହାପ୍ରଭୁଙ୍କ ରଥଯତ୍ରା ନିମନ୍ତେ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଆସନ୍ତା ମେ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଚିତ୍ରକର ସେବାୟତ ମାନେ ରଙ୍ଗ କାର୍ଯ୍ୟ କରୁଥିବା ବେଳେ ଚନ୍ଦନ ଯାତ୍ରା ପାଇଁ ବ୍ୟବହୃତ ହେବାକୁ ଥିବା ଡଙ୍ଗାର ମରାମତି କାର୍ଯ୍ୟ ଆଜିଠାରୁ ମହାରଣା ସେବାୟତ ମାନେ ଆରମ୍ଭ କରିଛନ୍ତି। ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବାୟତଙ୍କ ଦ୍ୱାରା ରଥଚାଳି ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।‌

ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି କାନ୍ତି କିଭଳି ଶୃଙ୍ଖଳିତ ହେବ ସେନେଇ ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶୃଙ୍ଖଳିତ ନୀତି, ପ୍ରଭୁଙ୍କ ଜଳକ୍ରୀଡା, ପୋଲିସ ଓ ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ଯୋଗାଣ ଓ ସ୍ଵାସ୍ଥ୍ୟ ସେବା ସଂପର୍କରେ ଆଲୋଚନା କରାଯାଇଛି। ସେହିପରି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦୀର୍ଘ ଦୁଇ ବର୍ଷ ପରେ ଆସନ୍ତା ମେ ମାସ ୫ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ। ପୁରୀ ପୌରସଦନରେ ଦିନ ୧୧ଟାରେ‌ ଏହି ବୈଠକ ବସିବ ବୋଲି ଜିଲ୍ଲାପାଳ କହିଛନ୍ତି। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ।

ସେପଟେ ମେ ୩ ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ସେବାୟତ ମାନେ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଏହି ଦିନ ସକାଳ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବା ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠର ଅନୁକୂଳ ହେବ। ଦୁଇ ବର୍ଷ ହେବ ଭକ୍ତ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିବାରୁ ଏଥର ଦୁଇଗୁଣା ଭକ୍ତଙ୍କ ସାମିଲ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟ ପକ୍ଷରେ ନରେନ୍ଦ୍ର ପୁଷ୍କରିଣୀରେ ଏନେଇ ଆନୁସଙ୍ଗିକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।

ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଥିବା ବେଳେ ଚାପରେ ବ୍ୟବହୃତ ଡଙ୍ଗାର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଭକ୍ତ ଅପେକ୍ଷାରେ ନରେନ୍ଦ୍ର ପୁଷ୍କରିଣୀ ଚାପ ଖେଳ ଦେଖିବା ପାଇଁ ।

Leave a Reply

Your email address will not be published. Required fields are marked *