ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଭିଡ

Spread the love

କୋଣାର୍କ: ପବିତ୍ର ମାଘସପ୍ତମୀ। ଚନ୍ଦ୍ରଭାଗା ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଆଜି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବିଶ୍ୱାସ ରହିଛି ଯେ, ବାରେଣୀ ବୁଡ଼ରେ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ଶରୀର ଆରୋଗ୍ୟ ରହିବା ସହ ପରିବାରର ମଙ୍ଗଳ ହୁଏ। ଆଉ ଏହି ବିଶ୍ୱାସକୁ ଆଧାର କରି ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ବୁଡ଼ ପକାଇଛନ୍ତି। ଏହି ଅବସରରେ ବିନା ପ୍ରବେଶ ଶୁଳ୍କରେ ସୂର୍ଯ୍ୟମନ୍ଦିର ବୁଲିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ।

ପବିତ୍ର ମାଘସପ୍ତମୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। କିମ୍ୱଦନ୍ତୀ ଓ ପୌରାଣିକ ତଥ୍ୟ ଅନୁସାରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଶରୀର ଆରୋଗ୍ୟ ସହ ପରିବାରର ମଙ୍ଗଳ ହୁଏ। ଆଉ ଏହି ବିଶ୍ୱାସକୁ ଆଧାର କରି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଚନ୍ଦ୍ରଭାଗାରେ। ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରିଣୀରେ ଅପେକ୍ଷାରତ ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ବୁଡ଼ ପକାଇବେ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଶୁକ୍ରବାର ରାତିରୁ ବାବା ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଇଶାନେଶ୍ୱର ମନ୍ଦିରରୁ ବାହାରି ଘଣ୍ଟଘଣ୍ଟା, ନାଗା କାଳିକା, ଘୋଡ଼ାନାଚ ଜରିଆରେ କୋଣାର୍କ ଏନଏସିରେ ବିଳମ୍ୱିତ ରାତିରେ ପହଞ୍ଚିଥିଲେ। ସେଠାରେ ଭୋଗ ଖାଇ ଭୋର୍ ୪ଟାରେ ତିନିଠାକୁରଙ୍କ ରୀତିନୀତି ଅନୁସାରେ ସ୍ନାନ କରାଯାଇଥିଲା। ଏହା ପରେ ଅପେକ୍ଷାରତ ସାଧୁସନ୍ଥ ସ୍ନାନ କରିବା ପରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ୭ଟି ଧାଡ଼ିରେ ବୁଡ଼ ପକାଇବାକୁ ଛଡ଼ାଯାଇଥିଲା।

ଶନିବାର ଭୋରରୁ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟପୂଜା କରିଥିଲେ ଶ୍ରଦ୍ଧାଳୁ। ଏହା ପରେ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବିନା ଟିକଟରେ ବୁଲି ନବଗ୍ରହ ଦର୍ଶନ କରିବାର ସୁଯୋଗ ପାଇଥିଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ଆଜିକା ଦିନରେ ପୁରୁଣା ବର୍ଣ୍ଣିତ ତଥ୍ୟ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ୱ କୁଷ୍ଠରୋଗରେ ପୀଡ଼ିତ ଥିଲା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଦର୍ଶନ କରିବାରୁ ରୋଗରୁ ମୁକ୍ତି ପାଇଥିଲେ ବୋଲି ସାଧୁସନ୍ଥ କହିଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ଦେଖି ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ବୁଡ଼ ଲାଗି କୌଣସି ଅଘଟଣ ଯେଭଳି ନ ଘଟେ, ଏହା ଶେଷ ହେବା ଯାଏ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲାପାଳ, ଏସପି ପ୍ରମୁଖ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ।

ଧାର୍ମିକ ଭାବନା ନେଇ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ଶୀତୁଆ ରାତି ତମାମ ଅନିଦ୍ରା ରହି ବୁଡ଼ ପକାଇବାକୁ ଚାହିଁବସିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି।

ଭାରତୀ ଭୂଷଣ ଉପାଧ୍ୟାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *