୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତି

Spread the love

ପୁରୀ : ରଥଯାତ୍ରାର ପ୍ରାରମ୍ଭିକ ପର୍ବ ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିଛନ୍ତି । ସ୍ନାନବେଦିରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଲଗି, ସଂଚିଷ୍ଟା, ତାମ୍ରପର୍ଣ୍ଣି, ଲୋଧା ମିଶ୍ରିତ ହୋଇ ଏହି ଅଧିବାସ ଜଳ ଶନିବାର ଠାରୁ ରଖାଯାଇଥିଲା ।

ଗତକାଲିର ସ୍ଵତନ୍ତ୍ର ନୀତିକାନ୍ତି ଅନୁଯାୟୀ, ଭୋର୍ ୪ଟା ୪୫ରେ ମଙ୍ଗଳାର୍ପଣ, ୪ଟା ୫୦ରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ଆରମ୍ଭ ହୋଇଥିଲା । ସକାଳ ୬ଟା ୩୦ ରେ ପହଣ୍ଡି ଶେଷ ହୋଇଥିଲା । ୭ଟା ୧୫ ରେ ରୁନ୍ଧା ଶେଷ, ୭ଟା ୨୦ ରେ ମଦନମୋହନ ବିଜେ, ୮ଟା ୫ରେ ମଙ୍ଗଳଆରତୀ , ୮ଟା ୧୦ ରେ ମଇଲମ, ୮ଟା ୨୦ ରେ ତଡ଼ପ ଲାଗି ଏବଂ ୯ଟା ୨୫ ରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ୯ଟା ୪୫ ରେ ଅବକାଶ ଶେଷ, ୯ଟା ୫୦ ରେ ମଇଲମ ଓ ରୋଷହୋମ, ୧୦ଟା ୩୦ ରେ ବେଶ ଶେଷ ହୋଇଥିଲା । ପରେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଜଳଲାଗି କରାଯାଇଥିଲା । ଦଇତାପତି ଓ ଗରାବଡ଼ୁ ସେବାୟତ ମାନେ ବିଧି ମୁତାବକ ଏହି ଜଳ ଲାଗି କାର୍ଯ୍ୟ ସମାପନ କରିଥିଲେ । ଜଳଲାଗି ପରେ ଚତୁର୍ଦ୍ଧାମୂର୍ତିଙ୍କ ହାତୀ ବେଶ ଅନୁଷ୍ଠିତ ହୋଇଥିଲା ।

ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ୩ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ୨୪ ଘଂଟିଆ ନଜର ରଖିଛି ଭକ୍ତଙ୍କ ଉପରେ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କ ନେତୃତ୍ଵରେ ୭୪ ପ୍ଲାଟୁନ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ଦଇତାପତି ସେବକମାନେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ । ଗତକାଲି ସକାଳ ଠାରୁ ବଡଦାଣ୍ଡରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରୁ ଉଠାଦୋକାନି ମାନଙ୍କୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

କଥିତ ଅଛି, ମହାରାଷ୍ଟ୍ରର ଜଣେ ଭକ୍ତ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ଚାହିଁଥିଲେ । ଶ୍ରୀଜୀଉଙ୍କୁ ହାତୀ ବେଶରେ ନଦେଖି ଭକ୍ତ ମନ ଦୁଃଖରେ ଫେରି ଯାଉଥିଲେ । ଏହି ସମୟରେ ଶୂନ୍ୟ ବାଣୀ ହେଲା ସ୍ନାନବେଦି ଉପରେ ଗଜାନନ ବେଶରେ ମୋତେ ଦର୍ଶନ କର । ସେହିଦିନ ଠାରୁ ସ୍ନାନ ବେଦି ଉପରେ ଶ୍ରୀଜୀଉଙ୍କୁ ହାତୀ ବେଶ କରାଯାଉଛି । ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

Leave a Reply

Your email address will not be published. Required fields are marked *