ନୂଆପଡାରେ ସୁନାଦେଇଙ୍କ ଛତରଯାତ୍ରା

Spread the love

ନୂଆପଡା:  ନୂଆପଡା ଜିଲ୍ଲା ମାଁ ସୁନାଦେଇଙ୍କ ଛତରଯାତ୍ରା କୁମାର ପୂର୍ଣ୍ଣିମା ଦିନ ବହୁ ଆଡମ୍ଵରରେ ପାଳିତ ହୋଇଯାଇଛି । ବିଶ୍ଵାସ ଅଛି ଦେବୀଙ୍କ ନିକଟରେ ଶୁଭମନାସିଲେ ମାନସିକ ପୂରଣ ହେ‍ଇଥାଏ । ତେବେ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଛତର ଯାତ୍ରା ଫିକା ପଡିଥିବା ବେଳେ ଚଳିତ ବର୍ଷ ଛତର ଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

ନୂଆପଡା ଜିଲ୍ଲାର ସୁନାବେଡା ଅଭୟାରଣ୍ୟ। ଏଠାରେ କେଉଁ ଆଦିମକାଳରୁ ଚକୁଟିଆ ଭୁଜିଂଆ ଜନଜାତି ସମ୍ପ୍ରଦାୟର ଲୋକେ ବାସ କରିଆସୁଛନ୍ତି । ଏହି ଚକୁଟିଆ ଭୁଜିଂଆଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମାଁ ସୁନାଦେଇ। ମାଁଙ୍କ ମୁଖ୍ୟ ପର୍ବ ହେଉଛି ଦଶହରା। ମହାଳୟା ଦିନ ଠାରୁ ରିତିନିତି ଅନୁସାରେ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ। ପରେ କୁମାର ପୂର୍ଣ୍ଣିମାରେ ଦେବୀଙ୍କ ଛତର ଯାତ୍ରା ପାଳନ ହୋଇଥାଏ। କରୋନା କଟକଣା ହଟିବା ପରେ ଚଳିତ ବର୍ଷ ସୁନାଦେଇଦେବୀଙ୍କୁ ଦର୍ଶନ କରିବା ପାଇଁ ନୂଆପଡା ଜିଲ୍ଲା ସମେତ ବଲାଗିଂର, ବରଗଡ, କଳାହାଣ୍ଡି , ନବରଗଂପୁର ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଏବଂ ମାନସିକଧାରୀଙ୍କ ସୁଅ ଛୁଟିଛି।

କୁମାର ପୂର୍ଣ୍ଣିମା ଦିନ ମନ୍ଦିରରେ ପୂଜାର୍ଚ୍ଚନା କରି ଛତର ମାଁ ପିଠସ୍ଥଳୀକୁ ଯାଇଥିଲେ ଏବଂ ସେଠାରେ ପୂଜାର୍ଚ୍ଚନା ପରେ ଗାଁ ପରିକ୍ରମା କରିଛନ୍ତି। ମାଁ ସୁନାଦେଇଙ୍କ ପୀଠରେ ପଶୁପକ୍ଷୀ ବଳୀ ଦିଆଯାଇଛି। ଭକ୍ତ ଏବଂ ମାନସିକଧାରୀଙ୍କ ବିଶ୍ଵାସ ଯେ ମାଁ ସୁନାଦେଇଙ୍କୁ କୁମାରପୂର୍ଣ୍ଣିମାରେ ଅନୁଷ୍ଠିତ ଛତରଯାତ୍ରାରେ ପୂଜାର୍ଚ୍ଚନା କଲେ ମାନସିକ ପୂରଣ ହୋଇଥାଏ । ଛତର ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ମାଁ ସୁନାଦେଇ ଯେ କେବଳ ଚକୁଟିଆ ଭୁଜିଂଆଙ୍କ ଆରାଧ୍ୟ ଦେବୀ ତାହା ନୁହେଁ । ଦେବୀଙ୍କ ଉପରେ ଲକ୍ଷାଧିକ ଲୋକଙ୍କ ରହିଥିବା ଆସ୍ଥା ଓ ଅଗାଢ ବିଶ୍ଵାସ ଯାହା ଏହି ଛତର ଯାତ୍ରା ସମୟରେ ପ୍ରତିପାଦନ ହୋଇଥାଏ ।

 ବିମଳ ସିଂ ଦଳପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *