କାର୍ଯ୍ୟରେ ନୁହେଁ, ପ୍ରତିଶ୍ରୁତି ଦେଇ ପାଳନ ନକରିବାର ବି ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି

Spread the love

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବା ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ନବନିଯୁକ୍ତ ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ନିୟନ୍ତ୍ରିତ ସଦସ୍ୟ ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।

ମହାନ୍ତି କହିଛନ୍ତି ଯେ, ଓଡିଶା ଗଣମାଧ୍ୟମରେ ଆଜି ଏକ ରେକର୍ଡ ଭଙ୍ଗ କରିବାର ଖବର ପଢ଼ିବାକୁ ପାଇଲି, ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ । ମାତ୍ର ପ୍ରତିଶ୍ରୁତି ଦେଇ ପାଳନ କରିବାର ବି ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ ।

ଶିଶୁ ଓ ଗର୍ଭବତୀ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ସମସ୍ୟାରେ ଆପଣ ରେକର୍ଡ ସୃଷ୍ଟି କରିଛନ୍ତି । ରାଜ୍ୟର ୬ ରୁ ୫୯ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି । ୫ବର୍ଷ ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮ପ୍ରତିଶତ ଏବଂ ୧୦ ରୁ ୧୯ବର୍ଷର ଝିଅଙ୍କ ମଧ୍ୟରେ ୫୯.୪ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ୬୨.୭ପ୍ରତିଶତ,ସ୍ତନ୍ୟପାନ କରାଉଥିବା ମା’୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହୋଇଛନ୍ତି । ୨୦ଟି ଜିଲ୍ଲାରେ ଶିଶୁମାନଙ୍କର ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ମହିଳା ବିରୋଧୀ ହିଂସା ଓ ଅପରାଧିକ ମାମଲା ସଂଖ୍ୟାରେ ରେକର୍ଡ ସୃଷ୍ଟି କରିଛି, ଯାହା ଆପଣଙ୍କ ସରକାରର ଉପଲବ୍ଧ । ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି, ଏହା ମଧ୍ୟ ଆପଣଙ୍କର ଏକ ରେକର୍ଡ? ୨୩ ବର୍ଷରେ ଆପଣଙ୍କ ବଡ ଉପଲବ୍ଧ ହେଲା, ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମଞ୍ଚ ବନ୍ଧା ଓ ଚେୟାର ପକାଇବା କାମରେ ଲଗାଇ ସଚିବଙ୍କୁ ବୁଲାଇ ଲୋକଙ୍କ ସମସ୍ୟା ବୁଝିବା, ଯାହା କେବେ ଭାରତୀୟ ରାଜନୈତିକ ଇତିହାସରେ ଘଟିନଥିବ, ଏହା ହେଉଛି ଶ୍ରେଷ୍ଠ ପ୍ରଶାସକଙ୍କର ସର୍ବଶ୍ରେଷ୍ଠ ରେକର୍ଡ । ଏଭଳି ରେକର୍ଡରୁ ଆଗାମୀ ଭବିଷ୍ୟତ କ’ଣ ଶିଖିବ, ତାହା ବଡ ଚିନ୍ତାର ବିଷୟ । ଶେଷରେ ମହାନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭାଷାକୁ ଉଦୃତ କରି ଉଲ୍ଲେଖ କରିଛନ୍ତି ଯେ, “ମାନବ ଜୀବନ ନୁହଇଁ କେବଳ, ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତା’ର, ଜୀବନର ମାନଦଣ୍ଡ” । ତେଣୁ ଦୀର୍ଘ ସମୟ ଶାସନ ବ୍ୟବସ୍ଥା ନୁହେଁ ବରଂ କର୍ମରୁ ମଣିଷର ପରିଚୟ ବୁଝାପଡେ ବୋଲି ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *