ମୁଖ୍ୟମନ୍ତ୍ରୀ କଲେ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧର ଶିଳାନ୍ୟାସ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫,୨୧,୪୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମଘର ପରିଚାଳନା କରିବ ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ ସହାୟତା ଯୋଗାଇଥାଏ । ଭୁବନେଶ୍ୱରସ୍ଥିତ ପ୍ଲଟ ନମ୍ବର-୨, କଟକ ରୋଡର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ପଣ୍ୟାଗାରଗୁଡିକର ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ପରିଚାଳନା କରିଥାଏ ।

ନିଗମର ବ୍ୟବସାୟିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର କାର୍ଯ୍ୟ ପରିସରର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ସୁବିଧାଯୁକ୍ତ ଭିତିଭୂମି ସୃଷ୍ଟି ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ ଅଫିସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଡକୋ, ଭୁବନେଶ୍ୱରକୁ ଦିଆଯାଇଛି । କର୍ପୋରେଟ ଅଫିସର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଓ ପ୍ରଥମ ମହଲା ବ୍ୟବହାର କରାଯିବ ଓ ଦ୍ୱିତୀୟ ଓ ତୃତୀୟ ମହଲା ( ଭଡାସୂତ୍ରରେ ଅନ୍ୟ ସଂସ୍ଥାମାନଙ୍କୁ ଦିଆଯିବ ଯେଉଁଥିରୁ ବହୁ ପରିମାଣର ରାଜସ୍ୱ ମିଳିପାରିବ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କେନ୍ଦ୍ର ସରକାର ଅଧିନସ୍ଥ ଗୋଦାମଗୃହ ବିକାଶ ଏବଂ ନିୟାମକ ପ୍ରାଧିକରଣରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ୫୧ଟି ଗୋଦାମ ମଧ୍ୟରୁ ନିଗମର ୪୫ ଟି ଗୋଦାମ ପଞ୍ଜୀକୃତ ହୋଇଅଛି । ଗୋଦାମଗୁଡିକର ପଞ୍ଜୀକରଣ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ କୃଷକ / ଜମାକାରୀମାନେ ଗଚ୍ଛିତ ସାମଗ୍ରୀ ପାଇଁ ହସ୍ତାନ୍ତରଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କରୁ ଋଣର ସୁବିଧା ପାଇପାରିବେ ।

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଆଗାମୀ ଦିନରେ ନିଜର କାର୍ଯ୍ୟକ୍ରମକୁ ପ୍ରସାରଣ ଓ ସଫଳ ରୂପାୟନ କରି କାର୍ଯ୍ୟକ୍ଷମ ପ୍ରକ୍ରିୟାର ସର୍ବୋଚ୍ଚ ମାନ୍ୟତାକୁ ସୁନିଶ୍ଚିତ କରିବା ସହିତ ପୃଷ୍ଠପୋଷକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇ ଏବଂ ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *