ଚିକିତ୍ସା ଅବହେଳାରୁ ମା ଓ ଶିଶୁ ମୃତ

Spread the love

କେଉଁଝର: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ସହ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେଉଁଝର ଜିଲ୍ଲା ସାହରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ । ଏନେଇ ଚିକିତ୍ସାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ସୂଚନା ଅନୁଯାୟୀ ଶୁକ୍ରବାର ରାତି ରାଜକିଶୋର ପାତ୍ରଙ୍କ ସ୍ତ୍ରୀ ରିଙ୍କି ପାତ୍ରଙ୍କର ପ୍ରସବ ଯନ୍ତ୍ରଣା ହେଇଥିଲା । ପରିବାର ଲୋକେ ତାଙ୍କୁ ଉଦୟପୁର ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ଚିକିତ୍ସା କରିବାରେ ଅବହେଳା କରିଥିଲେ ଫଳରେ ତାଙ୍କର ସ୍ଥିତି ସଙ୍ଗୀନ ହୋଇପଡିଥିଲା । ସ୍ଥିତି ଗୁରୁତର ହେବାରୁ ସକାଳୁ ସକାଳୁ ଡାକ୍ତର ତାଙ୍କୁ କେଉଁଝର ମୁଖ୍ୟ ଚିକିତ୍ସାଳୟକୁ ଫଠାଇ ଦେଇଥିଲେ ।

ମୁଖ୍ୟ ଚିକିତ୍ସାଳୟରେ ସମାନ ଅବହେଳା କରିବାରୁ ଗର୍ଭବତୀ ଜଣକ ଅଧିକ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲେ ବୋଲି ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ମୃତକଙ୍କ ଶବ ମଧ୍ୟ ନମିଳିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ କେଉଁଝର ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ରାତିରେ ଉଦୟପୁର ସ୍ୱାସ୍ଥ୍ୟ କେନ୍ଦ୍ର 1 ଘଣ୍ଟା ଚେଷ୍ଟା କଲା ପରେ ପ୍ରସବ ନହେବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲେ । ମାତ୍ର ମୁଖ୍ୟ ଚିକିତ୍ସାଳୟକୁ ଆସିବାର ଏକ ଘଣ୍ଟା ପୂର୍ବରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇସାରିଥିଲା । ଏବେ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ହସ୍ପିଟାଲରେ ରଖାଯାଇଥିବ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *