ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାପାରମ୍ପରିକ ମତ୍ସ୍ୟଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ଏକ ବଳିଷ୍ଠ ମାଧ୍ୟମ – କୃଷି ମନ୍ତ୍ରୀ

Spread the love

ଭୁବନେଶ୍ୱର : ରାଜ୍ୟରେ ବିସ୍ତୃତ ଜଳସମ୍ପଦ ରହିଥିବା ପରିପ୍ରେକ୍ଷୀରେ ମାଛ ଉତ୍ପାଦନ ଓ ରପ୍ତାନୀର ବ୍ୟାପକ ସୁଯୋଗ ରହିଛି । ୨୦୨୨-୨୩ ମସିହାରେ ରାଜ୍ୟର ମୋଟ ୪୮୦୭ କୋଟି ଟଙ୍କାର ମାଛ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ଉତ୍ପାଦିତ ମତ୍ସ୍ୟକୁ ପ୍ରକ୍ରିୟାକରଣ ମାଧ୍ୟମରେ ମୂଲ୍ୟଯୁକ୍ତ କରିପାରିଲେ ଅଧିକ ବୈଦେଶିକ ମୁଦ୍ରା ଉପାର୍ଜନ ହୋଇପାରିବ । ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି କୃଷକମାନଙ୍କର ଆୟ ବହୁଗୁଣିତ କରିବା ସହ ରାଜ୍ୟରେ କୃଷିର ଅଭିବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’’ଏକ ବଳିଷ୍ଠ ମାଧ୍ୟମ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଶୁକ୍ରବାର କୃଷିଭବନଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ମତ୍ସ୍ୟ ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧି ସମ୍ପର୍କିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସ୍ୱାଇଁ କହିଲେ ଏହି ଯୋଜନାକୁ ଅଧିକ ସଫଳ, ଫଳପ୍ରଦ ଓ ଆକର୍ଷଣୀୟ କରିବା ପାଇଁ ସଂପ୍ରତି ଏହାର ମାର୍ଗଦର୍ଶିକା ସରଳୀକରଣ କରାଯିବା ସହିତ ସର୍ବୋଚ୍ଚ ରିହାତି ରାଶିକୁ ୫୦ ଲକ୍ଷରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଓଡ଼ିଶା ଉପକୂଳର ଗଭୀର ସମୁଦ୍ରରୁ ପର୍ଯ୍ୟାପ୍ତ ପରିମାଣର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣ ଦିଗରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଶେଷ ସହାୟକ ହୋଇପାରିବ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ରୂପାନ୍ତରଣ ହୋଇପାରିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ ମାଛ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଏହି ସମୟ ମଧ୍ୟରେ ମାଛ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୮ ଗୁଣ ବୃଦ୍ଧି ପାଇଛି । ମାଛ ଯାଆଁଳ ଉତ୍ପାଦନ ୧୦ ଗୁଣ ବୃଦ୍ଧି ପାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ କହିଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀମାନେ ଅଣଧାନ ଫସଲରୁ କିପରି ଅଧିକ ରୋଜଗାର ପାଇବେ ସେଥିନିମନ୍ତେ ପଦକ୍ଷେପ ନିଆଯାଉଛି ।

ଆପିକଲର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ମତ୍ସ୍ୟ ଚାଷକୁ ଉଦ୍ୟୋଗୀମାନେ ବ୍ୟବସାୟିକ ଭିତିରେ ଚାଷ କରିବା ପାଇଁ କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗ୍ରାମପଞ୍ଚାୟତ ପୋଖରୀକୁ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆପିକଲର ପରିଚାଳନା ନିର୍ଦ୍ଦେଶକ ତଥା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଉଦ୍ୟୋଗୀମାନଙ୍କୁ ଅଧିକ ସଂଖ୍ୟାରେ କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାର ବ୍ୟାପକ ସରଳୀକରଣ କରାଯାଇଥିବା ବିଷୟରେ ଆଲୋଚନା କରିଥିଲେ । ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଗୋଟିଏ ପରିବାର ଏବଂ ଉଦ୍ୟୋଗୀ ୧୦ ବର୍ଷ ଅବଧି ପରେ ସଂପ୍ରସାରଣ କିମ୍ବା ନୂତନ ଉଦ୍ୟୋଗ ସ୍ଥାପନ ନିମନ୍ତେ ପୁନଃ ପୁଞ୍ଜିନିବେଶ ଉପରେ ମଧ୍ୟ ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

ଆଲୋଚନାଚକ୍ରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ଆପିକଲ ବିଭାଗୀୟ ବରିଷ୍ଠ ଅଧିକାରୀ, ବିଭିନ୍ନ ଜିଲ୍ଲାର ମତ୍ସ୍ୟ ଉଦ୍ୟୋଗୀ, ଏପିଟିଟିର କର୍ମକର୍ତ୍ତା, କୃଷକ ଉତ୍ପାଦକ ଗୋଷ୍ଠୀ ଓ ସମବାୟ ସମିତି ମତ୍ସ୍ୟ ରପ୍ତାନୀକାରୀମାନେ ଯୋଗ ଦେଇଥିଲେ । ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନଙ୍କ ଦ୍ୱାରା ବାୟୋଫ୍ଲକ୍, ଅର୍ଣ୍ଣାମେଂଟାଲ ମାଛଚାଷ, ମାଛର ଅମଳ ଓ ଅମଳ ପରବର୍ତୀ ସୁପରିଚାଳନା ଓ ରିସର୍କୁଲେଟୋରି ପଦ୍ଧତି ମାଧ୍ୟମରେ ମାଛ ଉତ୍ପାଦନ ସମ୍ପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *