ପୋଲିସକୁ ମାମୁ କହିବା ଘଟଣାରେ ପୀଡ଼ିତାର ପରିବାରକୁ କ୍ଷତିପୂରଣ ଦେବାକୁ ଦାବି

Spread the love

ସାଲେପୁର : ଗତ ୨୦୨୨ ମାର୍ଚ୍ଚ ୨ ତାରିଖରେ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ଉପରେ ଜାତୀୟମାନବଅଧିକାର କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜନୈକ ନାବାଳକ ପଞ୍ଚମ ଶ୍ରେଣୀ ଛାତ୍ର ଏବଂ ତାଙ୍କର ପରିବାର ବର୍ଗଙ୍କୁ ଜଣେ ପୋଲିସ ଏସ୍.ଆଇ ଯେଭଳି ମାଡମାରି ଅଶାଳୀନ ଭାଷାରେ ଗାଳିଗୁଲଜ କରି ସେମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣକରିଥିଲେ ସେ ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ଭାର ସାଲେପୁର ଏସ୍ ଡି.ପି.ଓ ବିମଳ ବାରିକ ନେଇଥିଲା ବେଳେ ଏହାର ବିଧିବଦ୍ଧ ତଦନ୍ତକରି ସତ୍ୟାସତ୍ୟ ରିପୋର୍ଟ ମାନବଅଧିକାର କମିଶନରଙ୍କୁ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଅନୁଯାୟୀ ସଂପୃକ୍ତ ନାବାଳକ ଛାତ୍ରଙ୍କର ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ତାଙ୍କର କ୍ଷତିପୂରଣ ବାବଦ ପୁଲିସ କର୍ମଚାରୀ ଜଣଙ୍କ ତାଙ୍କଦରମାରୁ ୧ ଲକ୍ଷ ଟଙ୍କା ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନର ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚୂଡାନ୍ତ ରାୟ ପଠାଇଥିଲେ । ରାୟ ପ୍ରକାଶ ପାଇବାର ୬ ସପ୍ତାହ ମଧ୍ୟରେ ଉକ୍ତ ଅର୍ଥକୁ କ’ଣ ପାଇଁ ପଇଠ କରିବେ ନାହିଁ ବୋଲି ଏକ ଜବାବ ମଧ୍ୟତଲବ କରିଥିଲେ । ଏହି ରାୟ ତା. ୩୧.୦୩.୨୦୨୩ ରିଖରୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ପିଡିତ ଛାତ୍ରଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଦିଆଯାଇ ନାହିଁ । ଯାହାଦ୍ୱାରା ସଂପୃକ୍ତ ଛାତ୍ରଙ୍କ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ତାଙ୍କୁ କ୍ଷତିପୂରଣ ଅର୍ଥ ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ନିଶ୍ଚିନ୍ତକୋଇଲି ଥାନାରେ କାର୍ଯ୍ୟରତ ତତ୍କାଳୀନ ଜନୈକ ପୋଲିସକୁ ଗୋପପୁର ପଣସପଡିଆ ଅଂଚଳର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ମାମୁ ବୋଲି ଡାକି ଦେଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପୋଲିସ ଏସ୍ ଆଇ ଜଣକ ସଂପୃକ୍ତ ଛାତ୍ରଙ୍କୁ ମାଡ ମାରିବା, କାନଧରି ବସଉଠ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ତା’ର ବାପମାଆ ଓ ପରିବାର ଲୋକଙ୍କୁ ମଧ୍ୟ ବିଭିନ୍ନ କଟୂମନ୍ତବ୍ୟ ପ୍ରଦାନ କରି ଅଶାଳୀନ ଭାଷା ପ୍ରୟୋଗ କରିଥିଲେ । ଉକ୍ତ ଘଟଣା ସଂପର୍କରେ ପରିବାର ଲୋକେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଏହାର ପ୍ରତିବାଦରେ ରାସ୍ତାରୋକ ମଧ୍ୟ କରିଥିଲେ । ଏ ସଂକ୍ରାନ୍ତରେ ସଂପୃକ୍ତ ଛାତ୍ରଙ୍କ ମାଆ କବିତା ବେହେରାଙ୍କ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ସଠିକ୍ ଭାବେ ମାମଲାକୁ ପରିଚାଳନା ନକରିବାରୁ ପରିବାରର ଲୋକେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ପୋଲିସ ଅଧିକାରୀଙ୍କ ନାମରେ ମଧ୍ୟ ଅଭିଯୋଗ କରିଥିଲେ । ଉକ୍ତ ମାମଲାକୁ ଜାତୀୟ ମାନବ ଅଧିକାର ପ୍ରତିରକ୍ଷାକାରୀ ଆଇନଜୀବୀ ଭଜମନ ବିଶ୍ୱାଳ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *