ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖ ଓ ୪୨ ଚକ ନିର୍ମାଣ ଶେଷ ହେବ

Spread the love

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, କରତିଆ ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ରବିବାର ସଂନ୍ଧ୍ୟା ସୁଦ୍ଧା ତିନି ରଥର ୪୨ ଚକ ମଧ୍ୟରୁ ୩୩ଟି ଚକ ନିର୍ମାଣ ଶେଷ ହୋଇଛି । ଅବଶିଷ୍ଟ ୯ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ସେହିପରି ତିନି ରଥର ମୋଟ୍ ୨୧ଟି ଅଖ ମଧ୍ୟରୁ ୧୨ଟି ନିର୍ମାଣ ସରିଛି । ଆଗାମୀ ୨୫ ତାରିଖ ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖ ଓ ୪୨ ଚକ ନିର୍ମାଣ ଶେଷ ହେବ ।

ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ରଥ ନିର୍ମାଣ ପାଇଁ ବ୍ୟବହୃତ ହେବାକୁ ଥିବା ପନ୍ଦାରୀ, ବଳା, ଚାବି, ଦଣ୍ଡା କଂଟା, ଗୟଳ କଂଟା, ଯୋଖା କଂଟା ଏବଂ କଇଁଚ କଂଟା ପ୍ରସ୍ତୁତି କରୁଛନ୍ତି ।

ଦୋଳବେଦି ଉପରେ କରତି ସେବକଙ୍କ ଦ୍ୱାରା ପୋଲଗୟଳ କାଠ ଚିରଟ କରାଯାଉଛି । ରୂପକାର ସେବକଙ୍କ ଦ୍ୱାରା କୋଣଗୁଜରେ ସିଂହ ବିରାଳ, ନର ବିରାଳ ଏବଂ ହସ୍ତି ବିରାଳ ଆଦି ଖୋଦେଇ କାର୍ଯ୍ୟ ଜାରୀ ରହିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ବିଶ୍ୱକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି । ଜୁନ୍ ୪ ତାରିଖ ସ୍ନାନ ପୂର୍ଣ୍ଣମୀରେ ପ୍ରତି ରଥର ଚାରିନାହାକା ଉଠିବ । 

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।  

Leave a Reply

Your email address will not be published. Required fields are marked *