ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସିପିଆଇର ବିକ୍ଷୋଭ

Spread the love

ଭୁବନେଶ୍ୱର : ବାହାନଗାର ମର୍ମନ୍ତୁଦ ଓ ହୃଦୟ ବିଦାରକ ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦେବା, ସିବିଆଇ ତଦନ୍ତ ବନ୍ଦ କରି ସୁପ୍ରିମ୍ କୋର୍ଟଙ୍କ ତତ୍ୱାବଧାନରେ ଏସ୍ଆଇଟି ଦ୍ୱାରା ସମସ୍ତ ଘଟଣାର ତଦନ୍ତ କରିବା, ମୃତ ଓ ସ୍ଥାୟୀ ଅକର୍ମଣ୍ୟ ପରିବାରକୁ ୫୦ଲକ୍ଷ କ୍ଷତିପୂରଣ ସହିତ ପରିବାରର ଜଣକୁ ଚାକିରି ଦେବା, ଯାଜପୁରରୋଡ୍ରେ ମାଲ୍ଗାଡି ତଳେ ମୃତ୍ୟୁବରଣ କରିଥିବା ୬ଜଣ ପରିବାରକୁ ମଧ୍ୟ ସମାନ କ୍ଷତିପୂରଣ ଓ ନିଯୁକ୍ତି ଏବଂ ରେଳବାଇରେ ଘରୋଇକରଣ ବନ୍ଦ କରିବା ଦାବିରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରଠାରେ ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ବିକ୍ଷୋଭ ଓ ରାସ୍ତାରୋକୋ ଆନ୍ଦୋଳନ ସଙ୍ଗଠିତ ହୋଇଯାଇଛି ।

ଶୁକ୍ରବାର ପୂର୍ବାହ୍ନରେ ଶତାଧିକ କର୍ମୀ ହାତରେ ବିଭିନ୍ନ ଦାବି ଲେଖାଥିବା ପ୍ଳାକାର୍ଡ ମାନ ଧରି ସିପିଆଇ ରାଜ୍ୟଦପ୍ତର ଭଗବତୀଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ରାଜମହଲ ଛକଠାରେ ରାସ୍ତାରୋକ କରିବା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ଶୋଭାଯାତ୍ରାକାରୀମାନେ ମାଷ୍ଟରକାଣ୍ଟିନଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିପିଆଇର ଜୋନ୍ ସମ୍ପାଦକ ତଥା ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ ଦୁର୍ଘଟଣା ପରଦିନ ରେଳମନ୍ତ୍ରୀ ଇସ୍ତଫା ଦେବା କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କୁ ବରଖାସ୍ତ କରିବା ଉଚିତ ହୋଇ ଥାଆନ୍ତା ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଷେତମୂଲିଆ ନେତା ଶଙ୍କର ବାରିକ, ଜୋନ୍ ସହ ସମ୍ପାଦକ କୈଳାସ ପୁହାଣ, ନାରୀନେତ୍ରୀ କାନିକା ମୁଣ୍ଡା, ଯଶବନ୍ତ ଦାସ ମହାପାତ୍ର, ଅରତ ସ୍ୱାଇଁ, ଡାକ ହେମ୍ରମ, ଶ୍ୱେତମ୍ବର ଭୋଇ, ଅଶୋକ ବାରିକ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *