ଚଳଚଞ୍ଚଳ ଶରଧାବାଲି : ଜଗା ଦର୍ଶନରେ ଭକ୍ତଙ୍କ ଗହଳି

Spread the love

ପୁରୀ : ଭକ୍ତ ପ୍ରିୟ ଭଗବାନ । ଚଳଚଞ୍ଚଳ ହୋଇଉଠିଛି ଶରଧାବାଲି । ବଡ଼ଠାକୁର ତାଳଧ୍ୱଜ ରଥରେ ବିରାଜମାନ କରୁଥିବା ବେଳେ ଦର୍ପଦଳନ ରଥରେ ଦେବୀ ମା ସୁଭଦ୍ରା ଓ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତିନିରଥ ସୁସଜ୍ଜିତ ଥିବାବେଳେ ସୁସଜ୍ଜିତ ଶ୍ରୀଗୁଣ୍ଡିଚା ମନ୍ଦିର ସଜେଇ ହୋଇ ମହାପ୍ରଭୁଙ୍କ ଚାହିଁ ରହିଛି । ତିନି ରଥରେ ଶ୍ରୀବିଗ୍ରହମାନଙ୍କର ଦୈନଦିନ ନୀତିକାନ୍ତି ସମ୍ପନ୍ନ ହୋଇଛି । ସେବାୟତମାନେ ଶ୍ରୀବିଗ୍ରହଙ୍କୁ ସକାଳୁ ରଥ ଉପରେ ମଙ୍ଗଳଆଳତି ସହ ତଡ଼ପଲାଗି, ଅବକାଶ ପୂଜା ଓ ବେଶ କରିଥିଲେ । ହରିବୋଲ,ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଶରଧାବାଲି । ମହାପ୍ରଭୁଙ୍କ ରଥ ପାଖରେ ଭକ୍ତମାନେ ଦୀପ ଲଗାଇ ଦୁଇ ହାତ ଯୋଡ଼ି ପ୍ରଣିପାତ କରୁଥବା ଦେଖିବାକୁ ମିଳିଥିଲା । ଭକ୍ତମାନେ ରଥ ସମ୍ମୁଖରେ ଦିବ୍ୟ ଦର୍ଶନ ପାଇ ବହୁତ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ଆଖି ଛଳ ଛଳ କରି ଭକ୍ତ ଭଜନ ଗାଉଛି ତ କିଏ ମହାପ୍ରଭୁଙ୍କ ଜଣାଣ କରୁଛି । ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ । ମେଡ଼ିକାଲ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି । ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ ରଥ ଚାରିପାଖରେ ବି ଭକ୍ତଙ୍କ ଗହଳି ଲାଗିରହିଛି । ଭକ୍ତମାନେ ରଥାରୁଢ ଚତୁର୍ଦ୍ଧାମୂର୍ତିଙ୍କୁ ମନଖୋଲା ଦର୍ଶନ କରୁଛନ୍ତି । ଭାବବିନୋଦିଆ କାଳିଆ ଠାକୁରଙ୍କ ଭାବରେ ବୁଡ଼ି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଦର୍ଶନ ସହ ଆଖିରେ ଆଖି ମିଶାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବ୍ୟାକୁଳତା ଦେଖିବାକୁ ମିଳିଥିଲା । ଶରଧାବାଲି ଚାରିପଟେ ବିଭିନ୍ନ ପ୍ରକାର ଷ୍ଟଲ ସହ ଦୀପ ଦେକାନ, ଖେଳଣା ଦୋକାନ ଓ ଖାଦ୍ୟ ପସରା ପଡ଼ିଥିବା ଦେଖିବାକୁ ମିଳିଥିଲା । ମେଡ଼ିକାଲ ଛକରୁ ପୋଲିସ ଠିଆ ହୋଇ ଗାଡ଼ିମଟର ଚଳାଚଳରେ କଟକଣା କରିଛି । ପୋଲିସ ପକ୍ଷରୁ ରଥାରୁଢ ଚତୁର୍ଦ୍ଧାମୂର୍ତିଙ୍କ ଚାରିପଟେ ବ୍ୟାରିକେଡ଼ କରାଯାଇ ଶୃଙ୍ଖଳିତ ଭାବରେ ଭକ୍ତମାନଙ୍କୁ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *