ପାଇପ୍ ପଡି ଛାତ୍ରୀ ମୃତ୍ୟୁ ଘଟଣା : ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ

Spread the love

କଟକ/ଭୁବନେଶ୍ୱର : କଟକ ମହାନଗର ନିଗମ ଅନ୍ତର୍ଗତ କେଶରପୁର ଅଂଚଳରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ମଙ୍ଗଳବାର ଅପରାହ୍‌ଣରେ ନାବାଳିକା ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କର୍ତବ୍ୟରେ ଅବହେଳା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବୁଧବାର ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ ନିଲମ୍ବନ କରିଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଛି ।

ଅପରପକ୍ଷରେ ମୃତ ନାବାଳିକାର ପରିବାରକୁ  ୧୦ ଲକ୍ଷ ଟଙ୍କା । ମିଳିବ ବୋଲି କଟକ ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି, ଜାଇକା କାମ ହେଉଥିବା ସ୍ଥାନମାନଙ୍କରେ ସୂଚନା ଫଳକ ଲଗାଇବା ଓ କେହି ଯେପରି ଆହତ ନ ହେବେ ସେଥିପାଇଁ କାମ ଚାଲିଥିବା ସ୍ଥାନ ଚାରିପଟେ ବ୍ୟାରିକେଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟ ସ୍ଥାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସୁରକ୍ଷା କର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି ଇମର୍ତିଦେବୀ ମହିଳା କଲେଜର ଯୁକ୍ତ ଦୁଇରେ ପଢୁଥିବା ନୂଆ ରାଉସାପାଟଣାର କ୍ରିଷ୍ଣା ଦାସ ଓ ହେମ ଦାସଙ୍କ ଝିଅ ଏନ୍‌. ମଇନୀ ଦାସ ସେହି ବାଟ ଦେଇ ଯାଉଥିବା ବେଳେ ଅଘଟଣର ଶିକାର ହୋଇଥିଲା ।  ବିକଳ୍ପ ବ୍ୟବସ୍ଥା ନଥିବାରୁ ସହଜରେ ରାସ୍ତା ପାର ହେବା ପାଇଁ ଗହ୍ମାଡିଆଠାରେ ଏକ ପାଣି ପାଇପ ତଳେ ଛାତ୍ରୀ ଜଣକ ଗଳିକି ଯାଉଥିବା ବେଳେ ବିପଦସଙ୍କୁଳ ସ୍ଥିତିରେ ଥିବା ଗୋଟିଏ ପାଇପ ତାଙ୍କ ଅଂଟା ଉପରେ ପଡି ଯାଇଥିଲା । ସେଠାରେ କ୍ରେନ୍ ଓ ଜେସିବି ପହଂଚି ତାଙ୍କୁ ଉଦ୍ଧାର କରିବାକୁ ଏକ ଘଂଟାରୁ ଅଧିକ ସମୟ ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଏସ୍‌ସିବି ଓ ପରେ ସିଡିଏର ଅଶ୍ୱିନୀ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *