ରାଜ୍ୟସଭାରେ ଓ୍ୱାକଫ ସଂଶୋଧନ ବିଲ୍ ପ୍ରସଙ୍ଗରେ ସସ୍ମିତ ଏବେ ସମସ୍ତଙ୍କ ଟାର୍ଗେଟରେ। କାରଣ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ଅଟନ୍ତି ସସ୍ମିତ। ଏହି ବିଲ୍ ସମର୍ଥନରେ ଭୋଟ ଦେଇଥିବା କଥା ସସ୍ମିତ କହିବା ପରେ ବିବାଦ ପିଛା ଛାଡ଼ୁନି। ଆଉ ଧର୍ମନିରପେକ୍ଷ ଦଳର ଡିଣ୍ଡିମ ପିଟୁଥିବା ବିଜେଡିକୁ ତ ଏଭଳି ସମର୍ଥନ ଅକଳିଆରେ ପକାଇସାରିଲାଣି। ଏତିକିବେଳେ ଅନ୍ୟତମ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ବି ସସ୍ମିତଙ୍କୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ଏ ପ୍ରସଙ୍ଗରେ ନିଜର ସ୍ପଷ୍ଟ ରଖିବାରେ ବିଫଳ ହେବା ତାଙ୍କୁ ବ୍ୟଥିତ କରିଛି। ଦୁଇ ଦୁଇ ଥର ସଂସଦୀୟ କମିଟି ବୈଠକରେ ସଭାପତି ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ ଯେ, ରାଜ୍ୟସଭାରେ ବିଲକୁ ଜୋରଦାର ବିରୋଧ ହେବ। ବିଜେଡି ନିଜର ଇସ୍ତାହାରରେ ବି ସ୍ପଷ୍ଟ କରିଥିଲା ଯେ, ଓ୍ୱାକଫ ସଂଶୋଧନ ବିଲକୁ ବିରୋଧ କରାଯିବ। ଶଙ୍ଖ ଭବନରେ ସଂଖ୍ୟାଲଘୁଙ୍କ ବୈଠକରେ ବି ନବୀନ ଏ କଥା ସ୍ପଷ୍ଟ ରଖିଥିଲେ। କିନ୍ତୁ ହୁଇପ୍ ଜାରି ନ କରି ଭୋଟିଂ ଦିନ ସଂଧ୍ୟାରେ ଅତି ତରବରିଆ ଭାବେ ସସ୍ମିତ କାହିଁକି ବିବେକାନୁମୋଦିତ ଭୋଟ୍ ଦେବାକୁ ପରାମର୍ଶ ଦେଲେ, ତାହା ତାଜୁବ୍ କରୁଛି। ଏଭଳି ନିଷ୍ପତ୍ତିରୁ ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟର ଅବିଶ୍ୱାସର ପାତ୍ର ସାଜିଲାଣି। ଏହା ଦଳର ବି ଅପୂରଣୀୟ କ୍ଷତି କରିବ। ସମ୍ୱିଧାନ ଓ ଧର୍ମନିରପେକ୍ଷତାକୁ ସମର୍ଥନ ଜଣାଇ ସେଥିଲାଗି ସେ ମତଦାନରୁ ଦୂରେଇ ରହିଲେ ବୋଲି କହିଛନ୍ତି ଦେବାଶୀଷ। କିନ୍ତୁ ଏ ତରବରିଆ ନିଷ୍ପତ୍ତି ପରିବର୍ତ୍ତନ ପଛରେ କିଏ ଦାୟୀ ବୋଲି ପଚାରିଛନ୍ତି। ମୁଖ୍ୟ ପରାମର୍ଶଦାତାଙ୍କ ନିଷ୍ପତ୍ତିକୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ଦେବାଶୀଷ। ସସ୍ମିତ କେବଳ ନିର୍ଦେଶ ଅନୁପାଳନ କରନ୍ତି କହି ଦେବାଶୀଷଙ୍କ ଟାର୍ଗେଟରେ ପ୍ରକୃତ କିଏ, ଆଉ ବୁଝିବାକୁ ବାକି ନାହିଁ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now