ବିଜେଡିରେ ହଲଚଲ। ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟଙ୍କ ଖୋଲା ବିଦ୍ରୋହ। ସିନିୟର ସିଟିଜେନ୍ ସେଲ୍ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦେବାଶୀଷ। ଦଳରେ ରହିବି। ବିଜୁ-ନବୀନଙ୍କ ଆଦର୍ଶରେ ବି ଚାଲିବି। ଏ କଥା କହି କିନ୍ତୁ ଦଳର ପରିଚାଳନାକୁ ନେଇ ଯେଭଳି ଅସନ୍ତୋଷ ଜାହିର କରିଛନ୍ତି। ଏଥିରୁ ଦେବାଶୀଷଙ୍କ ପରବର୍ତ୍ତୀ ପଦକ୍ଷେପ କଅଣ ଓ ଗତି କୁଆଡ଼େ, ତାକୁ ନେଇ ନାନା ଅଟକଳ ଆରମ୍ଭ ହୋଇଛି। ନବୀନଙ୍କୁ ଲେଖିଥିବା ଚିଠିରେ ଦେବାଶୀଷ କହିଛନ୍ତି, ବିଜେଡି ଏବେ ବ୍ୟୁରୋକ୍ରାଟିକ ଦଳ ହୋଇଯାଇଛି। ବିଜୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନି। ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନି। ୨୪ ବିପର୍ଯ୍ୟୟ ପରେ ଦଳ ନା ଏହାର କାରଣକୁ ଗ୍ରହଣ କରୁଛି ନା ଏହାକୁ ମୁକିବିଲା ଲାଗି ଆବଶ୍ୟକୀୟ ଆକ୍ସନ ନେଉଛି। ଯଦିଓ ପ୍ରତିଟି କର୍ମୀ ଓ ସମର୍ଥକଙ୍କ ମୁହଁରେ ବିପର୍ଯ୍ୟୟ ପଛରେ କିଏ ବୋଲି ରହିଛି। କିନ୍ତୁ ଦଳ ଏହାକୁ ଗ୍ରହଣ କରୁନି। ସେଥିଲାଗି ଏବେ ଦଳର ସ୍ଥିତି ଯାହା ଅଛି, ସେଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ନ କଲେ ପରିସ୍ଥିତି ଖରାପ ହୋଇପାରେ ବୋଲି ସୁପ୍ରିମୋଙ୍କୁ ଅପିଲ୍ କରିଛନ୍ତି ଦେବାଶୀଷ। ଦୀର୍ଘ ଦିନ ଧରି ଦଳରେ ଥିବା ଅନୁଗତଙ୍କ ଲାଗି ଆଉ ଦଳରେ ସ୍ଥାନ ନାହିଁ ବୋଲି କହିଛନ୍ତି ଦେବାଶୀଷ। ଏବେ ବି ପାଣ୍ଡିଆନଙ୍କ କର୍ତ୍ତୃତ୍ୱରେ ବିଜେଡି ବୋଲି ଆରୋପ ଲଦିଛନ୍ତି ଦେବାଶୀଷ। ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ବିଜେପି ଟିକଟରେ ପୁଣି ରାଜ୍ୟସଭାକୁ ଯାଇଛନ୍ତି। ମମତା ମହାନ୍ତ ଓ ସୁଜିତ କୁମାରଙ୍କ ରାସ୍ତାରେ ଦେବାଶୀଷ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତିରେ ଲୋକସଭାରେ ଜିରୋ ଥିବା ବିଜେଡି ରାଜ୍ୟସଭାର ୯ ସଦସ୍ୟଙ୍କ ଶକ୍ତିରେ ସଂସଦରେ ନିଜର ପ୍ରତିନିଧିତ୍ୱକୁ ଜାହିର କରୁଥିଲା। କିନ୍ତୁ ଏହି ସଂଖ୍ୟା ୭କୁ ଖସିଆସିଛି। ଆଉ ଏତିକିବେଳେ ଦେବାଶୀଷ ଦଳ ଛାଡ଼ିଲେ ରାଜ୍ୟସଭାରେ ବିଜେଡି ପୁଣି ଦୁର୍ବଳ ହେବାର ଆଶଙ୍କା ରହିଛି। କିଛି ଦିନ ତଳେ ଦଳରୁ ନିଲମ୍ୱିତ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଥିଲେ ଦେବାଶୀଷ। ଯିଏ ନବୀନ ଓ ପାଣ୍ଡିଆନଙ୍କ ନାଁ ନ ନେଇ କ୍ରମାଗତ ବିଷ ଓଗାଳି ପୋଷ୍ଟ କରୁଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ନିଲମ୍ୱନ ଆଦେଶକୁ ବି କଟାକ୍ଷ କରିଥିଲେ ଦେବାଶୀଷ। କଟକ ବିଜେଡି ପକ୍ଷରୁ ଆୟୋଜିତ ଦଶହରାରେ ବନ୍ଧୁମିଳନ ଉତ୍ସବରୁ ଦୂରେଇ ରଖାଯାଇଥିଲା ଦେବାଶୀଷଙ୍କୁ। କଟକରେ ଭିନ୍ନ ଭିନ୍ନ ଜାଗାରେ ନବୀନଙ୍କ ଜନ୍ମଦିନ ପାଳିଥିଲେ ଦେବାଶୀଷ ଓ ସୁବାସ ସିଂ ଗୋଷ୍ଠୀ। ଦେବାଶୀଷଙ୍କ ରାସ୍ତାରେ ବାହାରିଛନ୍ତି ଭୁପିନ୍ଦର। ବିଜୁ ଆଦର୍ଶରେ ଆଉ ଦଳ ଚାଲୁନି ବୋଲି କହିଛନ୍ତି ଭୁପିନ୍ଦର। ଯେଉଁମାନେ ଦଳ ତିଆରି କରିଥିଲେ, ସେମାନେ ଆଜି କେଉଁଠି ନାହାନ୍ତି। ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ବି କାହାରି ମତାମତ ନିଆଗଲାନି। ନବୀନଙ୍କୁ ନେତା ଭାବୁଥିବା ନେତାଏ ଦଳରୁ ଆଉଟ୍ ହେବା ଭଳି ସ୍ଥିତିରେ। ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବୁଝି ବିଚାରି କାମ କରିବା ଭଲ। ଦଳରେ ଅନେକ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଥାଏ। କିନ୍ତୁ ଗୋଟିଏ ମତକୁ ନେଇ ଦଳ ଆଗକୁ ଚାଲେ। ସବୁ ପରିବାରରେ ଅସନ୍ତୋଷ ଥାଏ। ଦେବାଶୀଷଙ୍କ ଏହି ବୟାନ ଓ ପଦକ୍ଷେପକୁ ଦେଖି ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ବିପ୍ଳବର ବହ୍ନି, ବିଦ୍ରୋହର ଆରମ୍ଭ ଓ ବିନାଶର ଶଙ୍ଖନାଦ। ବିଜେଡିରେ ବିବାଦର ବହ୍ନି ଦେଖି ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ତାସ ଘର ଭଳି ଭାଙ୍ଗିଯିବ ବିଜେଡି। ବିଜେଡି ଆଗାମୀ ଦିନରେ ଇତିହାସ ହୋଇଯିବ। ଏହା ଆରମ୍ଭ ମାତ୍ର। ଆଗକୁ ଆହୁରି ଅନେକ ନେତା ମୁହଁ ଖୋଲିବେ। ବିଜେଡି ଜଣଙ୍କ ଇସାରାରେ ହିଁ କାମ କରେ। ସରକାରରେ ଥିଲା ବେଳେ ଯାହା, ଏବେ ସରକାରରୁ ଗଲା ପରେ ବି ସେୟା। ପୂର୍ବରୁ କ୍ଷମତା ମୋହରେ ସମସ୍ତେ ପାଟି ଚୁପ୍ କରିଥିଲେ। ବିଜେଡି ଏକ ନମ୍ୱର ଦଳରୁ ତିନି ନମ୍ୱରରେ ପହଞ୍ଚିଲାଣି। ଆଗରୁ ଆହୁରି ଅନେକ ନେତା ମୁହଁ ଖୋଲିବେ। ଦେବାଶୀଷଙ୍କ ଗତି କୁଆଡ଼େ। ବିଜେଡି ବିପର୍ଯ୍ୟୟ ପରଠୁ କ୍ରମାଗତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟାର୍ଗେଟ କରି ଦଳର ପରିଚାଳନା ନୀତିକୁ ଛିଗୁଲାଇ ଚାଲିଛନ୍ତି ଦେବାଶୀଷ। ଦେଖିବାର କଥା, ଆଗୁଆ ବାଟ କାଟିବାକୁ ଏହି ଇସ୍ତଫା ଏପିସୋଡ୍ ନା ଦଳର ନୀତି ଆଦର୍ଶ ଆଳରେ ଦଳକୁ ପୁନରୁଦ୍ଧାର କରିବାକୁ ଉପର ଠାଉରିଆ ପରାମର୍ଶ।

Naxatra News is now on Whatsapp
Join and get latest news update delivered to you via whatsapp
Join Now