ସମ୍ଭାବ୍ୟ ବନ୍ୟାରୁ ଧନ ଜୀବନର ସୁରକ୍ଷା ପାଇଁ ଏନଡିଆରଏଫ ଦ୍ୱାରା ନମୁନା ପ୍ରଦର୍ଶନ

Spread the love

ସୁବର୍ଣ୍ଣପୁର : ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏନଡିଆରଏଫ ମୁଣ୍ଡୁଳି ଦ୍ୱାରା ଧନ ଜୀବନର ସୁରକ୍ଷା ପାଇଁ ସୋନପୁର ସ୍ଥିତ ମହାନଦୀ ତେନ୍ତୁଳିଘାଟ ଠାରେ ଆଜି ନମୁନା ପ୍ରଦର୍ଶନ କରାଯାଇଥିଲା । ଇନିସ୍ପେକ୍ଟର ଏକଜିକ୍ୟୁଟିଭ ୟୁ.କେ. ଦୀକ୍ଷିତଙ୍କ ନେତୃତ୍ୱରେ ଏନଡିଆରଏଫର ଇନିସ୍ପେକ୍ଟର ଏକଜିକ୍ୟୁଟିଭ ସୂର୍ଯ୍ୟକାନ୍ତ, ଆନନ୍ଦ କୁମାରଙ୍କ ସହ ଅନ୍ୟ ଯବାନ ପ୍ରମୁଖ ସାମିଲ ରହି ଆଧୁନିକ ଓ ପାରମ୍ପରିକ ପଦ୍ଧତିରେ କିପରି ଭାବରେ ଜନସାଧାରଣ ବନ୍ୟା ସମୟରେ ନିଜର ତଥା ଅନ୍ୟର ଧନ ଜୀବନକୁ ସୁରକ୍ଷା କରିପାରିବେ ତାର ରକ୍ଷାତ୍ମକ କୌଶଳ ନମୁନା ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜନସାଧାରଣ ଆସନ୍ନ ବନ୍ୟାର ମୁକାବିଲା ନିମନ୍ତେ ନିଜେ ନିଜ ସ୍ତରରେ ପାରମ୍ପରିକ ସାମଗ୍ରୀ ସହ ପୂର୍ବପ୍ରସ୍ତୁତି ଓ ଆବଶ୍ୟକ ବ୍ୟବହାରିକ କୌଶଳ ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏପରିକି ଉକ୍ତ ସମୟରେ ଆବଶ୍ୟକ ତତ୍ପରତା ଓ ସାବଧାନକୁ ମଧ୍ୟ ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ରକ୍ଷାତ୍ମକ କୌଶଳ ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନିଶି ପୁନମ ମିଞ୍ଜ, ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଆନନ୍ଦ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୋନପୁର ସୂର୍ଯ୍ୟଂକ୍ଷଶୁ ରୁଟ, ସହକାରୀ ଜିଲ୍ଲାପାଳ ଚିତ୍ତରଞ୍ଜନ ମିଶ୍ର, ମଂଚାସୀନ ରହିଥିବା ବେଳେ ସ୍ଥାନୀୟ ସ୍ୱେଛାସେବୀ ସଂଗଠନର କର୍ମକର୍ତା, ଏସଏଚଜି ସଦସ୍ୟା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ଅଗ୍ନି ନିର୍ବାପକ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପୌର ପରିଷଦ କର୍ମକର୍ତା, ସ୍ଥାନୀୟ ଜନ ପ୍ରତିନିଧି, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ଜିଲ୍ଲା ତଥା ସ୍ଥାନୀୟ ମତ୍ସ୍ୟଜିବୀ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଜରୁରୀ ଶାଖାର ବିଶ୍ୱନାଥ ନାୟକ, ଆଲୋକ ଦାଶ, ରିତେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *