ଟିଭି ପରଦାରେ ହେବ ଧବଳେଶ୍ବରଙ୍କ ଦର୍ଶନ

Spread the love

ଧବଳେଶ୍ବର: ଦୁଇ ବର୍ଷ ଧରି କରୋନା ପାଇଁ ଧବଳେଶ୍ବର ପୀଠରେ କାର୍ତ୍ତିକ ବଡ ଓଷା ଅବସରରେ ଦର୍ଶନ ସମ୍ଭବ ନ ଥିଲା। ଚଳିତ ବର୍ଷ ପ୍ରଭୁ ଧବଳେଶ୍ବରଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଆଶା ବାନ୍ଧି ବସିଥିବା ବେଳେ କିନ୍ତୁ ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଅସୁରକ୍ଷିତ ଝୁଲାପୋଲ ପାଇଁ ପୀଠ ଚାରିପଟେ ଧାରା ୧୪୪ ଲାଗୁ ହୋଇଛି।  ତେବେ ପ୍ରତ୍ୟକ୍ଷ ଦର୍ଶନ ନ ହେଉ ପରୋକ୍ଷରେ ଭର୍ଚ୍ୟୁଆଲ ମୋଡରେ ଭକ୍ତଙ୍କ ଧବଳେଶ୍ବର ଦର୍ଶନ ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଛି।

ଏଥର ଚର୍ମଚକ୍ଷୁ ନୁହେଁ, ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ଜିଲ୍ଲାପାଳ କହିଛନ୍ତି, ଝୁଲା ପୋଲ ଅବସ୍ଥା ଯାହା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତାୟତ କରିବା ବିପଦସଙ୍କୁଳ । ଅନ୍ୟ କୌଣସି ମାର୍ଗରେ ବି ଶ୍ରଦ୍ଧାଳୁଙ୍କୁ ପୀଠକୁ ନିଆଯିବା ସମ୍ଭବ ନୁହେଁ ।  ତେଣୁ ୧୪୪ ଧାରା ଲାଗୁ କରାଯାଇଛି। ହେଲେ ଏଥିରେ ଭକ୍ତମାନେ ନିରାଶ ହେବାର ଆବଶ୍ୟକତା ନାହିଁ। ବାବା ଧବଳେଶ୍ୱରଙ୍କ ଦର୍ଶନ ସିଧାସଳଖ କରି ନ ପାରିଲେବି ଭର୍ଚୁଆଲ ଦର୍ଶନ କରିପାରିବେ ।

ଏଥିନିମନ୍ତେ ଝୁଲା ପୋଲ ନିକଟରେ କରାଯିବ ଏଲଇଡି ଟିଭିର ବ୍ୟବସ୍ଥା । ଏଥିସହ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଭକ୍ତଙ୍କ ମଧ୍ୟରେ ବିତରଣ ବ୍ୟବସ୍ଥା ବି କରାଯିବ  । ଏହାବାଦ ଛୋଟ ଛୋଟ ଦୋକାନୀ ଧବଳେଶ୍ୱରଙ୍କ ନିକଟରେ ପ୍ରତିବର୍ଷ କରୁଥିବା ମେଳାକୁ ଚଳିତ ବର୍ଷ ବି ବନ୍ଦ କରାଯିବନି। ଜିଲ୍ଲା ପ୍ରଶାସନ ଏଥିନିମନ୍ତେ ସ୍ଥାନ ଚିହ୍ନଟ କରି ଦୋକାନୀମାନଙ୍କୁ ବିତରଣ କରିବ ।

ମୋର୍ବି ଝୁଲା ପୋଲ ଟ୍ରାଜେଡି ପରେ ଜିଲ୍ଲା ପ୍ରଶାସନ ଆତଙ୍କିତ ଅବସ୍ଥାରେ। ବଡ ଓଷା ତଥା କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷ ଲକ୍ଷ ଲୋକଙ୍କର ଧବଳେଶ୍ବରରେ ସମାଗମ ସମ୍ଭାବନା ରହିଥିବାରୁ କିଛି ଅଘଟଣ ଘଟିପାରେ। ତେଣୁ ପୀଠକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଛି ପ୍ରତିବନ୍ଧକ।

Leave a Reply

Your email address will not be published. Required fields are marked *