ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

Spread the love

 ଭୁବନେଶ୍ବର/ ଧାମନଗର: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ। ଅକ୍ଟୋବର ୭ରେ ଏ ନେଇ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ୬ଟି ରାଜ୍ୟର ୭ଟି କ୍ଷେତ୍ରରେ ଉପନିର୍ବାଚନ ଲାଗି ନୋଟିସ କରାଯାଇଛି। ଆଉ ଏହାକୁ ତାଳ ଦେଇ ଧାମନଗର ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଛି କସରତ।

ମହାରାଷ୍ଟ୍ର, ବିହାର, ହରିଆଣା, ତେଲେଙ୍ଗାନା, ୟୁପି ସମେତ ଓଡ଼ିଶାର ୭ଟି ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଭାରତୀୟ ନିର୍ବାଚନ କମିଶନ ଏ ନେଇ ଘୋଷଣା କରିଛନ୍ତି। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏହି ଆସନ ଲାଗି ନଭେମ୍ୱର ୩ରେ ହେବ ଉପନିର୍ବାଚନ। ଆଉ ଏଥିଲାଗି ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଅକ୍ଟୋବର ୧୪ ନାମାଙ୍କନର ଶେଷ ତାରିଖ ରହିଥିଲା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭। ନଭେମ୍ୱର ୬ରେ ଗଣତି ଓ ଫଳ ପ୍ରକାଶ ପାଇବ। ଆଉ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ଭିତରେ ଏହାକୁ ନେଇ କସରତ ଆରମ୍ଭ ହୋଇଛି। ବିଜେପି ଏହି ଆସନକୁ ପୁଣି ବଜାୟ ରଖିବ ବୋଲି ଦମ୍ଭୋକ୍ତି ଦେଖାଇଛି।

ବିଷ୍ଣୁଙ୍କ ବିକାଶମୂଳକ କାମ, ତାଙ୍କ ପ୍ରତି ଲୋକଙ୍କର ସ୍ନେହଶ୍ରଦ୍ଧା ଓ ଜନସମ୍ପର୍କକୁ ପାଥେୟ କରି ଉପନିର୍ବାଚନ ଜିତିବ ଦଳ। ବେଶୀ ପରିଶ୍ରମ କରିବାକୁ ପଡ଼ିବନି। କଂଗ୍ରେସ କହିଛି, ଆସନ ଅକ୍ତିଆର କରିବାକୁ ପୁରା ଦମ୍ ଲଗାଇଦେବ। ୨୪ ଆଗରୁ ଧାମନଗରରୁ ଟ୍ରେଲର ଦେଖାଇବ। ଦଳ ଫାଇଟ୍ କରିବାକୁ ପୁରା ପ୍ରସ୍ତୁତ ଅଛି। ଶାସକ ଦଳ କହିଛି, ଧାମନଗରରେ ଏକତରଫା ବିଜୟ ହାସଲ କରିବ ବିଜେଡି। ପ୍ରାର୍ଥୀ ଚୟନରେ ଅଡୁଆ ହେବନି। ରାଜନୀତିରେ ଅନୁକମ୍ପା ଭୋଟ୍ ରହିଛି ସତ। କିନ୍ତୁ ଲୋକଙ୍କ ଲାଗି କାମ କରୁଥିବା ଦଳ ଅନୁକମ୍ପା ସତ୍ତ୍ୱେ ଜିତିବ। ବାଲେଶ୍ୱର ଭଳି ଧାମନଗର ଉପନିର୍ବାଚନର ଫଳ ବି ବିଜେଡି ସପକ୍ଷରେ ଯିବ।

ବିଷ୍ଣୁଙ୍କ ଦ୍ୱାଦଶାହରେ ତାଙ୍କ ଗାଁକୁ ଯାଇଥିଲେ ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା। ମଙ୍ଗରାଜପୁରରେ ପରିବାରକୁ ଭେଟିବା ସହ ତିହିଡ଼ି କଲେଜ ପରିସରରେ ଆୟୋଜିତ ସ୍ମୃତିସଭାରେ ବିଷ୍ଣୁ ଦେଖାଇଯାଇଥିବା ପଥରେ ଆଗେଇବାକୁ ହେବ ବୋଲି କର୍ମୀଙ୍କୁ ଅପିଲ୍ କରିଥିଲେ। ବିଷ୍ଣୁଙ୍କ ପରିବାରରୁ କାହାକୁ ଦଳ ପ୍ରାର୍ଥୀ କରିବ ନା ବାହାରୁ, ସେ ଗଣିତ ଯଦିଓ ସ୍ପଷ୍ଟ ହୋଇନି। ତେବେ ସମର୍ଥକଙ୍କ କଥା ରହିବ ନା ଦଳୀୟ ରଣନୀତି ଆଉ କିଛି ରହିବ, ସେ ସସପେନ୍ସ ଜାରି ରହିଛି।

କ୍ରମାଗତ ଉପନିର୍ବାଚନରେ ଜିତିକି ଆସୁଛି ବିଜେଡି। ନିଜ ଆସନ ବଜାୟ ରଖିବା ସହ ବିରୋଧୀଙ୍କ ହାତରୁ ବି ଛଡ଼ାଇ ଆଣିଛି ଆସନ। ଏଭଳି ସ୍ଥଳେ ଧାମନଗର ଉପନିର୍ବାଚନରେ ବିଜେପି ନିଜ ଆସନକୁ ରଖିପାରୁଛି ନା ଏଠି ବିଜେଡି ପୁଣି ନିଜର କରିସ୍ମା ଦେଖାଇବ। ଅବା କଂଗ୍ରେସ କିଛି ଅଲୌକିକତା କରୁଛି।

ଶାନ୍ତନୁ ପଣ୍ଡା ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *