ଦୁଲୁକୁଛି ଧାମନଗର

Spread the love

ଧାମନଗର: ଧାମନଗର ପ୍ରଚାର ମୈଦାନ କମ୍ପୁଛି। ଦଳ, ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କୁ ଫୁରସତ ନାହିଁ ଯେମିତି। ନିଜ ନିଜ ଢଙ୍ଗରେ ପ୍ରଚାରକୁ ଅଧିକ ଶାଣିତ ଓ ନିଆରା କରିବାକୁ ପ୍ରୟାସ ଜାରି ରଖିଛନ୍ତି ପ୍ରାର୍ଥୀ। ବିଷ୍ଣୁଙ୍କ ଅକାଳ ବିୟୋଗକୁ ମାସେ ପୂର୍ତ୍ତି ଅବସରରେ ଆଜି ଧାମନଗର ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ବିଜେପି ଶ୍ରଦ୍ଧାଞ୍ଜଳି ସଭା କରିଛି। ସେପଟେ ଆଜି ରାଜୁ ଦାସଙ୍କୁ ବିଜେଡି ଦଳବିରୋଧୀ କହି ଦଳରୁ ବିଦା କରିଛି।

ବିଜେପି ହାତରେ ଥିଲା ଧାମନଗର। ଆଉ ଏହି ଆସନକୁ ବଜାୟ ରଖିବା ବିଜେପି ଲାଗି ବଡ଼ ସମ୍ମାନର ପ୍ରଶ୍ନ ସାଜିଛି। ସେଥିଲାଗି ଆଗ ପ୍ରାର୍ଥୀ ଘୋଷଣା ସାଙ୍ଗକୁ ସର୍ବପ୍ରଥମେ ପ୍ରଚାର ମୈଦାନକୁ ବି ଓହ୍ଲାଇଛି ବିଜେପି। ସୂର୍ଯ୍ୟବଂଶୀ ସୂରଜ ପ୍ରଚାର ମୈଦାନରେ ଆଗରେ ଅଛନ୍ତି। ବାପାଙ୍କ ଅଧୁରା କାମକୁ ପୁରା କରିବେ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ। ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗକୁ ଆଜି ମାସେ ପୁରିଥିବାରୁ ଧାମନଗର ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ବିଜେପି।

ସେପଟେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଶ୍ ସହାୟକ ସାଜିଛି  ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଲାଗି। ଅବନ୍ତୀଙ୍କ ସହ ବହୁ ତୁଙ୍ଗ ନେତା ପ୍ରଚାର ମୈଦାନରେ ସାମିଲ୍ ହୋଇଛନ୍ତି। ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ବିଜେଡି ସବୁ ସମୟରେ ଲୋକଙ୍କ ସହ ଅଛି। ବିଶୃଙ୍ଖଳାକାରୀଙ୍କ ଉପରେ ଆକ୍ସନ ହୋଇଛି। ଆଉ ବିଜେଡିରେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ଆଜି ବହିଷ୍କାର କରିଛି। କିନ୍ତୁ ରାଜୁ କହିଛନ୍ତି, ଲୋକଙ୍କ ସେବା, ଧାମନଗର ମାଟିର ସ୍ୱାଭିମାନ ଓ ସମ୍ମାନ ଲାଗି ସେ ଏଭଳି ଆକ୍ସନକୁ ମୁଣ୍ଡପାତି ସହିବେ। ଏଭଳି ଆକ୍ସନକୁ ଲୋକଙ୍କ ଆଶୀର୍ବାଦ ପ୍ରଭାବହୀନ କରିବ।

ସେପଟେ କଂଗ୍ରେସ ପରିବର୍ତ୍ତନ ଆଶାରେ ପ୍ରଚାର ଶୈଳୀକୁ ଜୋରଦାର କରିଛି। ଲୋକଙ୍କ ପାଖକୁ ଯାଉଛନ୍ତି। ମିଛ ପ୍ରତିଶୃତି ଦେଉନି ବୋଲି କହିଛନ୍ତି ପ୍ରାର୍ଥୀ ବାବା ହରେକୃଷ୍ଣ। ଅର୍ଥ କି ବାହୁବଳ ନାହିଁ ଅନ୍ୟ ଦଳ ଭଳି। ଜନତାଙ୍କ ଆଶୀର୍ବାଦ ବଳ ଏ ସବୁକୁ କାଉଣ୍ଟର କରିବ। ବିଜେଡି ଓ ବିଜେପି ହାତରେ ଧାମନଗରବାସୀ ନେତୃତ୍ୱର ଡୋରି ଦେଇଥିବା ସତ୍ତ୍ୱେ ବି ବିକାଶ ନାହିଁ।

ଧାମନଗର ଫାଇଟ୍ ପାଇଁ ଯୋଦ୍ଧା ଜୋରଦାର ମାତିଛନ୍ତି। ରାଜୁ ଦାସଙ୍କ ଭଳି କଣ୍ଟାକୁ ଯଦିଓ କାଢ଼ିଦେଇଛି ବିଜେଡି। ତେବେ ବିଜୟର ବାଟ ଏତେ ସହଜ ହେବନି ବୋଲି କୁହାଯାଉଛି। ବିଭିନ୍ନ ଓ୍ୱାର୍ଡରେ ବୈଠକ କରିବା ସହ ଘରକୁ ଘର ଯାଇ ଭୋଟ ମାଗିବାରେ ବ୍ୟସ୍ତ ପ୍ରାର୍ଥୀ। ହେଲେ ଜନତାର ମୁଡ୍ କୁଆଡକୁ ମୁହାଁଉଛି, ଦେଖିବାର କଥା।

ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *