୭୧ ବର୍ଷୀୟା ବୃଦ୍ଧାଙ୍କୁ ବଞ୍ଚି ଥାଉ ଥାଉ ମାରିଦେଲେ ଅଧିକାରୀ

ବଞ୍ଚି ଥାଉ ଥାଉ ଜଣେ ୭୧ ବର୍ଷୀୟା ବୃଦ୍ଧାଙ୍କୁ ମାରି ଦେଲେ ଅଧିକାରୀ । କେବଳ ସେତିକି ନୁହେଁ ବରଂ ବୃଦ୍ଧାଙ୍କ ଭାତହାଣ୍ଡି ଯାହା ସେ ଭତ୍ତା ଟଙ୍କାକୁ ପାଉଥିଲେ ତାହା ମଧ୍ୟ ଛଡେଇ ନେଇଛନ୍ତି । ଆଉ ନିରାଶ ହୋଇ ଶେଷକୁ ୬ ମାସ ହେବ ଅସହାୟ ହୋଇ ଆକୁଳ ନିବେଦନ କରିଛନ୍ତି ସମ୍ପୃକ୍ତ ବୃଦ୍ଧା ଜଣଙ୍କ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଲୋକନାଥପୁର ଶାସନ ଗାଁରେ। ଗାଁର ୭୧ ବର୍ଷୀୟା ବୃଦ୍ଧା ଫୁଲରାଣୀ ଖୁଣ୍ଟିଆ। ମଧୁବାବୁ ପେନସନ ଯୋଜନାରେ ବଡ଼ସୁଆଁଳୋ ପଞ୍ଚାୟତରୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ। ହେଲେ ୬ ମାସ ହେବ ତାଙ୍କ ଭତ୍ତାକୁ କେହି ଅଧିକାରୀ କାଟି ଦେଇଛନ୍ତି। ଯାହା ଫଳରେ ସେ ଏବେ ବାର ଦୁଆର ବୁଲିଲେ ସୁଦ୍ଧା ତାଙ୍କ ଦୁଃଖ କଥା କେହି ବୁଝୁ ନାହାନ୍ତି। ବୃଦ୍ଧାଙ୍କ ପୁଅ ଅକ୍ଷୟ ଖୁଣ୍ଟିଆ ପକ୍ଷଘାତ ରୋଗରେ ଆକ୍ରାନ୍ତ। ବୃଦ୍ଧାଙ୍କ ଏକମାତ୍ର ସାହାରା ହେଉଛି ଭତ୍ତା ଟଙ୍କା। ସେହି ଟଙ୍କାରେ ବଞ୍ଚୁଥିଲେ ଫୁଲ। ହେଲେ ପଞ୍ଚାୟତରେ ଅନ୍ୟ କେହି ଫୁଲରାଣୀ ନାମରେ ମୃତ୍ୟୁ ହୋଇଥିବା କାରଣରୁ ତାଙ୍କ ଭତ୍ତାଟିକୁ ଅଧିକାରୀ ବାବୁ କାଟି ଦେଇଥିବା ଜଣାପଡିଛି । ଯାହାକୁ ନେଇ ସେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ଆମେ ଭତ୍ତା ବିଭାଗରେ ଥିବା ବିଏସଏସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ତେବେ ତୁରନ୍ତ ତ୍ରୁଟି ସୁଧାରିବା ସହ ତାଙ୍କ ଭତ୍ତାକୁ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *