ସଂଯୁକ୍ତ ମୋର୍ଚ୍ଚାର ଶକ୍ତିକୁ ଏକଜୁଟ୍ କରି ଗରିବ କଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉଦ୍ୟମ କରିବା – ଧର୍ମେନ୍ଦ୍ର ପ୍ରଧାନ

Spread the love

କାମାକ୍ଷାନଗର/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ‘ସଂଯୁକ୍ତ ମୋର୍ଚ୍ଚା’ ବୈଠକରେ ଯୋଗଦେଇ ସମସ୍ତ ମୋର୍ଚ୍ଚାର ଶକ୍ତିକୁ ଏକଜୁଟ୍ କରି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି ବୈଠକରେ ମହିଳା ମୋର୍ଚ୍ଚା , ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ମୋର୍ଚ୍ଚାର ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବୋଦୟ ମିଶନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ନେଇଥିବା ଦାୟିତ୍ୱକୁ ପ୍ରଭାବଶାଳୀ ଢଙ୍ଗରେ ଘରେ ଘରେ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ସମେତ ଦେଶରେ ମୋଦିବାଦକୁ ପ୍ରତିଷ୍ଠା କରିବା ପାଇଁ ପଡିବ । ମୋଦିବାଦର ଅର୍ଥ ଗରିବ, ମାଆ ଭଉଣୀ, ନୂଆପିଢିଙ୍କ ପାଖରେ ଆତ୍ମବିଶ୍ୱାସ ଜାଗ୍ରତ କରିବା । ସାଂସଦ କିମ୍ବା ବିଧାୟକ ହେବା ପାଇଁ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ଅକଥନୀୟ ପରିଶ୍ରମ କରିବା । ସବୁ ମୋର୍ଚ୍ଚା ମଧ୍ୟରେ ଥିବା ଉନ୍ମାଦନାକୁ ଏକ ବଡ଼ ଆନ୍ଦୋଳନରେ ପରିବର୍ତ୍ତନ କରିବା । ଗରିବ ଘରରୁ ଆସିଥିବା ମୋଦି ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଦେଶର ସ୍ୱାଭିମାନ ଓ ଗର୍ବ ଗୌରବ । ତାଙ୍କ ନେତୃତ୍ୱରେ ଦେଶ ଶକ୍ତିଶାଳୀ ହୋଇଛି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ନେତା ଭାବେ ସ୍ୱୀକାର କରିଛି । ତାଙ୍କ ନେତୃତ୍ୱରେ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାନ୍ନ, କୋଭିଡର ପ୍ରତିକୂଳ ପରିସ୍ଥିତିରେ ସ୍ୱଦେଶୀ ଟିକାଦାନ କାର୍ଯ୍ୟକ୍ରମ, ଖଣି ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଖଣି ନୀତିରେ ଅଣାଯାଇଥିବା ନୂଆ ସଂସ୍କାର କାରଣରୁ ଓଡ଼ିଶା ଲାଭାନ୍ୱିତ ହୋଇଛି । ଅନୁଗୋଳ-ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନର ଲୋକାର୍ପଣ କରାଯାଇଛି । ଏହାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ପରିଶ୍ରମ କରିବା ।

‘ସବ୍କା ସାଥ-ସବ୍କା ବିକାଶ-ସବ୍କା ବିଶ୍ୱାସ-ସବ୍କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରୁଛି । ବ୍ୟାଙ୍କରେ ଗରିବଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି । ପୂର୍ବରୁ କେନ୍ଦ୍ରରୁ ୧ ଟଙ୍କା ଆସୁଥିବା ବେଳେ ହିତାଧିକାରୀଙ୍କ ପାଖକୁ ୧୫ ପଇସା ଆସୁଥିଲା । ମୋଦି ସରକାରରେ ସିଧା ସିଧା ସମ୍ପୂର୍ଣ୍ଣ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଆସୁଛି । ଏହା ହିଁ ସେବା, ସୁଶାସନ ଓ ଜନକଲ୍ୟାଣ ।

ଅପରପକ୍ଷରେ ମୋଦି ସରକାର ପାନୀୟ ଜଳର ସୁବିଧା କରିବା ପାଇଁ ଅର୍ଥ ଦେଉଛନ୍ତି । ଏହା ସତ୍ତ୍ୱେ ଏଠାରେ ବଡ ବଡ ଠିକାଦାରଙ୍କ ପାଖରେ ବ୍ୟବସ୍ଥାରେ ଥିବା ଲୋକ ମାନେ ମୁଣ୍ଡ ବିକି ଥିବାରୁ ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ପହଞ୍ଚି ପାରିନାହିଁ, ଯାହା କ୍ଷୋଭର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଜିତାଇବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *