ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

Spread the love

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥୀ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଜଣେ ଅନୁଷ୍ଠାନ । ନିଜ ପାଇଁ ନୁହେଁ ବରଂ ସେ ଅନ୍ୟ ମାନଙ୍କ ପାଇଁ ସମର୍ପିତ ଥିଲେ, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ । ଶୁକ୍ରବାର ଭୁବନେଶ୍ୱର ଠାରେ ‘ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍ମୃତି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଓ ଦିଲ୍ଲୀପ ଶତପଥୀ ମେମୋରିଆଲ ଟ୍ରଷ୍ଟର ମିଳିତ ଉଦ୍ୟମରେ ଆୟୋଜିତ ଏହି ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଗଣମାଧ୍ୟମ ଜଗତରେ ଆର୍ôଥକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ନିଜ ପାଇଁ ଦିଲ୍ଲୀପ ଭାଇ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଦିଲ୍ଲୀପ ଭାଇ ଜଣେ ବଡ ବ୍ୟକ୍ତିତ୍ୱ ଥିଲେ । ଅନେକ ଗୁଣର ଅଧିକାରୀ ଥିଲେ । ଜଣେ ଭଲ ମଣିଷ ହେବା ସହ ନିଜ କାର୍ଯ୍ୟବଳରେ ସମାଜ ଓ ଯୁବପିଢିଙ୍କୁ ପ୍ରେରଣାଦାୟୀ ବାର୍ତା ଦେଉଥିଲେ । ଗୋଟିଏ ଜୀବନ୍ତ ସମାଜ ତାଙ୍କର ସୁପୁତ୍ରକୁ ମନେପକାଇଲେ ହିଁ ସମାଜରେ ପରିଚୟ ତିଆରି ହୁଏ । ସେପରି ଭାବରେ ଦିଲ୍ଲୀପ ଶତପଥୀଙ୍କ ଆଦର୍ଶ, ସଂସ୍କାର ଓ ପ୍ରବାହ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିବା ଦରକାର ।

ଓଡ଼ିଆ ପିଲା ମାନଙ୍କ ଭିତରେ ଗୁଣ ଓ ଜ୍ଞାନର ଅଭାବ ନାହିଁ । ଓଡିଆ ପିଲା ମାନଙ୍କୁ ଦେଖିଲେ ମୋ ମନରେ ଆତ୍ମବିଶ୍ୱାସ ବଢେ । ସେଭଳି ଭାବେ ସେମାନଙ୍କ ବିଶ୍ୱାସକୁ ଉଜ୍ଜିବୀତ କରିବା ପାଇଁ ‘ସ୍ମୃତି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ’ ଓ ଦିଲ୍ଲୀପ ଶତପଥୀ ମେମୋରିଆଲ ଟ୍ରଷ୍ଟ ଯୁବଶକ୍ତିଙ୍କ ଜ୍ଞାନକୁ ପ୍ରତିଯୋଗିତା ମାଧ୍ୟମରେ ପୁରସ୍କୃତ କରିବା ଏକ ଭଲ ପରମ୍ପରା । ଦିଲ୍ଲୀପଙ୍କ ସ୍ମୃତି ଓ ସଂସ୍କାରକୁ ଆଗକୁ ନେବାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ଟ୍ରଷ୍ଟର ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

 “ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁ ବାବୁ ସଙ୍ଗେ ଲଢ଼ିବି” । ଏହାକୁ ଅନୁସରଣ କରି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ କରିଥିବା ମଧୁବାବୁଙ୍କର ଓଡ଼ିଶା ପ୍ରତି ଅବଦାନକୁ ମନେ ପକାଇବାର ଆବଶ୍ୟକତା ରହିଛି । ତାଙ୍କ ବିଚାର ଓ ଆଦର୍ଶରେ ଯୁବପିଢି ଯୁଗଯୁଗ ଧରି ଅନୁପ୍ରାଣିତ ହେବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶା ସମସ୍ୟାରେ ଅଛି । ଯେଉଁ ଜାତିର ମହାପ୍ରଭୁ ହେଉଛନ୍ତି ଶ୍ରୀଜଗନ୍ନାଥ, ଯେଉଁ ଜାତିର ୫୬ ଭୋଗର ପରମ୍ପରା ଅଛି, ଯେଉଁ ଜାତିରେ କେହି ଭୋକିଲା ନ ରହିବାର ସଂସ୍କାର ଅଛି, ଆଜି ସେହି ଓଡ଼ିଶା ରାଜ୍ୟକୁ ଅପପୁଷ୍ଟି କବଳିତ କରିଛି । ଜାତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ ତାଲିକାରେ ଓଡିଶାର ସ୍ଥାନ ଚିନ୍ତାଜନକ ଏବଂ କୁପୋଷଣ ଗୋଟିଏ ଜାତୀୟ ପ୍ରସଙ୍ଗ ହୋଇଛି ।

ଆଜି ଓଡ଼ିଶାରେ ଯେ ଆଦେଶ ପାଳନ କରିବା ଲୋକ, ସେ ଆଜି ଆଦେଶ ଦେଉଛି । ଏହା ଅଗଣତାନ୍ତ୍ରିକ । ଏହା ମଧୁବାବୁ, ଗୋପବନ୍ଧୁ, ହରେକୃଷ୍ଣ ମହତାବଙ୍କ ସଂସ୍କାର ନୁହେଁ । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଦେବୀଙ୍କ ଜନ୍ମ ଜୟନ୍ତୀ । ତାଙ୍କ ହାତରେ ଓଡ଼ିଶାର ନିର୍ଣ୍ଣୟ ନେବାର କ୍ଷମତା ଥିଲା । ମାତ୍ର ସେ ଯେଉଁ ଓଡ଼ିଶା ନିର୍ମାଣ କରିଥିଲେ, ସେ ଓଡ଼ିଶା ଆଜି ଦ୍ୱନ୍ଦରେ । ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ ଭାବରେ ତିଆରି କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଉଲ୍ଲେଖନୀୟ ଯେ, ‘ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରବିଜେତା ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *