
() ବିଧାନସଭା ଭିତରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳରୁ ଗୃହ ମୁଲତବୀ ହୋଇଗଲା। ଆଉ ବିଧାନସଭା ବାହାରେ ବିଧାୟିକା ବର୍ଷା ବରିହାଙ୍କ ସକାଳୁ ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ ରେ ପ୍ରଶ୍ନ ଆଉ ଉତ୍ତରରେ ଅର୍ପିତା ବଡ଼ଜେନାଙ୍କ ଟ୍ୱିଟରରେ କାଉଣ୍ଟର ଯେମିତି ଏହି ଏପିସୋଡକୁ ଅଧିକ ସରଗରମ କରିଦେଇଥିଲା।
ମୁଁ ଯନ୍ତ୍ରଣା ଭୋଗିଛି। ଏବେ ନବ ଦାସଙ୍କ ପରିବାରକୁ କେତେ କଷ୍ଟ ଅନୁଭବ କରିପାରୁଛି। ଦିବଂଗତ ନବ ଦାସଙ୍କୁ ନିନ୍ଦିତ କରନ୍ତୁନି। ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ। ବିଧାନସଭା ଆରମ୍ଭର କିଛି ସମୟ ଅବ୍ୟବହିତ ଆଗରୁ କିଛି ଏମିତି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରିଥିଲେ ବିଧାୟିକା ବର୍ଷା ବରିହା। ପଦ୍ମପୁର ଉପନିର୍ବାଚନ ବେଳେ ଅନେକ ବିଜେପି ନେତା ବର୍ଷାଙ୍କୁ ନେଇ ଯେଭଳି କଟାକ୍ଷ କରିଥିଲେ,ତାହା ତାଙ୍କୁ ବାଧିଥିଲା। ହେଲେ ନେତାଙ୍କୁ ବାରଣ କଲେନି ଧର୍ମେନ୍ଦ୍ର। ବୋଧହୁଏ ଜାଣିଶୁଣି ନୀରବ ରହିଲେ ବୋଲି କହିଛନ୍ତି ବର୍ଷା। ଆଉ ସମାନ ଢଙ୍ଗରେ ସ୍ୱର୍ଗତ ନବ ଦାସଙ୍କ ଚରିତ୍ର ସଂହାର ଲାଗି ଯେଉଁ ଉଦ୍ୟମ ହେଉଛି, ତାଙ୍କ ଝିଅ ଦିପାଳୀ ଓ ପରିବାରର ଅନ୍ୟମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ହୃଦବୋଧ କରୁଥିବା କହିଛନ୍ତି ବର୍ଷା। ବର୍ଷାଙ୍କ ଏହି ଟ୍ୱିଟକୁ ଦିନ ତମାମ ଲିଡ୍ କରି ଶାସକ ଦଳ ବି ବିଜେପିକୁ ଟାର୍ଗେଟ କରିଥିଲା।
ସେପଟେ ବର୍ଷାଙ୍କୁ ଟ୍ୱିଟରରେ ଜବାବ ଫେରାଇବାକୁ ବିଳମ୍ୱ କରିନଥିଲେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ବଡ଼ଜେନା। ମମିତା ମେହେର ହତ୍ୟାକାଣ୍ଡ ପଛରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଛି କି ନାହିଁ ବୋଲି ପଚାରିଛନ୍ତି। ବିଧାୟକ ବିଜୟଶଙ୍କର ବରିହା କାହିଁକି ବିଧାନସଭା ଆସୁନାହାନ୍ତି। ସୋମାଲିକାଙ୍କୁ ନ୍ୟାୟ ଦେବାରେ କୁଆଡ଼େ ଗଲେ ଏକ ନମ୍ୱର ପ୍ରଶାସକ ବୋଲି କାଉଣ୍ଟର ଆଟାକ କରିଛନ୍ତି। ଆଉ ଅର୍ପିତାଙ୍କ ଏହି କାଉଣ୍ଟର ଟ୍ୱିଟକୁ ବି ସମାନ ଢଙ୍ଗରେ ଲିଡ୍ କରିବାକୁ ପୁରା ଦଳ ବି ସାଥ୍ ଦେଇଥିଲା।
ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବିଜେପି ନେତାଙ୍କୁ ସଂଯମତା ଓ ସମ୍ୱେଦନଶୀଳତାର ପାଠ ପଢାଇବାକୁ ବର୍ଷା ବରିହାଙ୍କ ଟ୍ୱିଟ୍ ଓ କାଉଣ୍ଟରରେ ଅର୍ପିତାଙ୍କ ଗୋଟି ଗୋଟି ପ୍ରଶ୍ନର ଟ୍ୱିଟ୍ ଯେମିତି ବିଧାନସଭା ଅଚଳ ସତ୍ତ୍ୱେ ଆଇନଶୃଙ୍ଖଳା ପ୍ରସଙ୍ଗକୁ ସୋସିଆଲ ମିଡ଼ିଆରେ ପୁରା ଚଳଚଞ୍ଚଳ କରି ରଖିଥିଲା।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ