ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛି। ଡ୍ରାଇଭର ମହାସଂଘର ଡାକରା କ୍ରମେ ଘରୋଇ ବସ୍, ଟ୍ରକ ଓ ଅଟୋ ସେବା ବି ବନ୍ଦ ହୋଇଛି। ୭ ଦଫା ଦାବି ନେଇ ମହାସଂଘ ପକ୍ଷରୁ ବାରମ୍ୱାର ବିକ୍ଷୋଭ ପ୍ରଦର୍ଶନ ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ଏହାର ପ୍ରତିବାଦରେ ମହାସଂଘ ଷ୍ଟିଅରିଂ ଛାଡ଼ି ଆନ୍ଦୋଳନକୁ ଯାଇଛି। ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ଓ୍ୱାର୍କର ଓ୍ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଲୋକଙ୍କ ଆକ୍ରୋଶର ଶୀକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ନେଇ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସରେ ସ୍ୱତନ୍ତ୍ର ଭତ୍ତା, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ ଆଦି ଦାବିରେ ସଂଘ ଅଡ଼ି ବସିଛି। ସେପ୍ଟେମ୍ୱର ୧ ତାରିଖକୁ ଡ୍ରାଇଭର ଦିବସ ପାଳନ ଦାବି କରିଛି ସଂଘ। ଏହା ସହ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନକୁ ବିରୋଧ କରିଛି ସଂଘ। ଦାବି ପୂରଣ ନହେଲା ଯାଏ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଚାଲିବ ବୋଲି ସଫା ସଫା କହିଦେଇଛି ସଂଘ। ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହେବେନି ବୋଲି ଆଗରୁ ସ୍ପଷ୍ଟ କରିଦେଇଥିଲା ସଂଘ। ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଅନ୍ୟ କୌଣସି ଡ୍ରାଇଭର କିମ୍ୱା ଟ୍ରାନ୍ସପୋର୍ଟ ଓ୍ୱାର୍କର୍ସ ସଂଘ ସମର୍ଥନ କରୁନି ବୋଲି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ କହିଛି। ନିଜର ଆଧିପତ୍ୟ ଜାହିର ଲାଗି ଏଭଳି ଆନ୍ଦୋଳନ ହୋଇଛି। ରାଜ୍ୟରେ ୩୫ଟି ସଂଘରୁ କେବଳ ଗୋଟିଏ ସଂଘ ଡାକରା ଦେଇଛି। ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହନ୍ତସନ୍ତ ହୋଇଛନ୍ତି। ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅପେକ୍ଷା କରିଥିଲେ ବି ଗାଡ଼ି ଗଡ଼ୁନଥିବାରୁ ପହଞ୍ଚିପାରିନଥିଲେ। ପରିବହନ ସେବା ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଛକରେ, ରାଜରାସ୍ତାରେ ଧାରଣା ଦେଇଥିଲେ ସଂଘର କର୍ମକର୍ତ୍ତା। ଗାଡ଼ି ନ ଗଡ଼ୁଥିବାରୁ ବସଷ୍ଟାଣ୍ଡରେ ଅପେକ୍ଷାରତ ଯାତ୍ରୀ କିଏ କୋର୍ଟ କାମରେ ହାଜର ହେବାକୁ ତାରିଖ ଥିଲେ ବି ପହଞ୍ଚିପାରିଲାନି ତ କିଏ ମେଡିକାଲ କେସରେ ପହଞ୍ଚିପାରିନଥିଲେ। ଘରୋଇ ବସ୍ ଗଡ଼ୁନଥିବାରୁ ସରକାରୀ ବସକୁ ଅପେକ୍ଷା କରିଥିବା ଯାତ୍ରୀ ବି ବେଶ୍ ହୀନସ୍ତା ହୋଇଥିଲେ। କାରଣ ପର୍ଯାପ୍ତ ଗାଡ଼ି ନଥିଲା। ସରକାର କାହିଁକି ବିକଳ୍ପ ବ୍ୟବସ୍ଥା କଲେନି ବୋଲି ଅନେକ ରୋଷ ଝାଡ଼ିଥିଲେ। ଭଦ୍ରକରୁ ଭୁବନେଶ୍ୱର। ଗୁଣୁପୁରରୁ ଯାଜପୁର। କେସିଙ୍ଗାରୁ ପାରାଦୀପ। ବାଲିଗୁଡ଼ାରୁ ବିଷମକଟକ। ଜୟପୁରରୁ ଭବାନୀପାଟଣା। ଆନ୍ଦୋଳନର ପ୍ରଭାବରେ ସବୁଠି ଯାତ୍ରୀ କେମିତି ହନ୍ତସନ୍ତ ହେଉଥିଲେ, ତାହା ବାରି ହୋଇପଡ଼ୁଥିଲା। ବସ୍ ଗଡ଼ୁନଥିଲା ସିନା। ଏହା ସହ ଅଟୋ, ଟାକ୍ସିରେ କୁଆଡ଼େ ଯିବାର ବିକଳ୍ପ ବ୍ୟବସ୍ଥା ବି ନଥିଲା। ଲୋକଙ୍କ ପାଖରେ ଯିବାକୁ ସାଧନ ନଥିଲା। ଅନେକ ଲୋକ ଜାଣିନଥିଲେ ଏଭଳି ଆନ୍ଦୋଳନ ବାବଦରେ। ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଆନ୍ଦୋଳନରତ ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରିବେ। ମହାସଂଘ ଯେଉଁ ଦାବି କରୁଛି, ତାହା ନ୍ୟାଯ୍ୟ ଦାବି। ଡ୍ରାଇଭର ସଂଘ ସରକାରଙ୍କ ବିରୁଦ୍ଧରେ ନୁହେଁ। ସେମାନେ ସରକାରଙ୍କୁ ସହଯୋଗ କରିବେ। ଆନ୍ଦୋଳନ ଦ୍ୱାରା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏହାର ସମାଧାନ ଲାଗି ବି ସରକାର ଚେଷ୍ଟିତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now