ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦେବ ଡ୍ରୋନ୍

Spread the love

କେନ୍ଦ୍ରାପଡା: ଭିତରକନିକା ଓ ଗହୀରମଥାରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାର ହେବ। ଆର୍ଦ୍ରଭୂମି ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରି, ତଟକ୍ଷୟ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ସହ ବନ୍ୟ ଓ ସାମୁଦ୍ରିକ ଜୀବଙ୍କୁ ନେଇ ରହିଥିବା ଉତ୍ସୁକତାର ପରିସମାପ୍ତି ଘଟିବ । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଓ ଜଷ୍ଟିସ ମୂରହରୀ ଶ୍ରୀ ରମଣଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ରାୟ ପରେ ସ୍ଥାନୀୟ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

କେନ୍ଦ୍ରାପଡାର ଭିତରକନିକାରେ ଥିବା ଲୁଣା କୁମ୍ଭୀର ସହ ଧଳା କୁମ୍ଭୀର ଦେଖିବାକୁ ମିଳେ । ଏଥିସହ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ଗହୀରମଥା ପରିଚିତ ପାଇଛି । ଦେଶୀ, ବିଦେଶୀ ପକ୍ଷୀଙ୍କ ସମାହାର ସହିତ ସୁଘଞ୍ଚ ହେନ୍ତାଳବଣ, ବିଭିନ୍ନ ଔଷଧୀୟ ବୃକ୍ଷ, ସମୁଦ୍ର ମଧ୍ୟରେ ଶୈବାଳ ଉଦ୍ୟାନ ଅଛି । ତେବେ ଏହାର ପ୍ରଦୂଷଣ ବିଭିନ୍ନ କାରଣରୁ ବଢିଚାଲିଛି । ଭିତରକନିକାର ସାମୁଦ୍ରିକ ଅଞ୍ଚଳ ଗହୀରମଥାରେ ତଟକ୍ଷୟ ହେଉଛି !  ଏହି ଦୃଷ୍ଟିକୋଣରୁ ବେଆଇନ ଭାବରେ ଗହୀରମଥାର ଗଭୀର ସାମୁଦ୍ରିକ ଅଞ୍ଚଳରେ ମାଛ ମାରୁଥିବା ମାଛ ମାଫିଆଙ୍କ ଟ୍ରଲର, ବୋଟ  ଆଦି ଉପରେ ତୀକ୍ଷ୍ଣ ନଜର ରଖାଯାଇ ପାରିବ ବୋଲି ଜଣା ପଡିଛି । ଭିତରକନିକାର ପାଖାପାଖି ଅଞ୍ଚଳରେ ବହୁଳ ପରିମାଣରେ ଚିଙ୍ଗୁଡ଼ି ଘେରି,ଜଙ୍ଗଲ କଟା ପଶୁ ଶିକାର ପରି ଅନେକ ତଥ୍ୟକୁ ନଜର ରଖିବ ଡ୍ରୋନ।

ତେବେ ଦୀର୍ଘ ଦିନରୁ ଗଭୀର ସମୁଦ୍ରରେ ବେଆଇନ ଭାବେ ମାଛ ମାରୁଥିବା ଦେଶୀ ବିଦେଶୀ ମାଛ ମାଫିଆଙ୍କ ଉପରେ ଅଙ୍କୁଶ ଲଗାଯାଇ ପାରୁନାହିଁ ! ବର୍ତ୍ତମାନ ଏକାକୁଳା, ଅଗରନାସୀ, ନାସୀ -୨, ବାବୁବାଲି ସମେତ ଅନେକ ଜାଗାରେ କଇଁଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା କାରଣରୁ ମାଛ ଜାଲରେ ପଡି ଅନେକ ଦୂରରୁ ଆସୁଥିବା କଇଁଛମାନଙ୍କ ଜୀବନ ବିପଦରେ ପଡୁଥିବା ନଜରକୁ ଆସିଛି । ଜଙ୍ଗଲ ବିଭାଗର ସୁରକ୍ଷା ବ୍ୟବସ୍ଥା, କୋଷ୍ଟଗାର୍ଡ ସମେତ ସ୍ପିଡିବୋଟ ପରି ସବୁ ସୁରକ୍ଷା ବ୍ୟବସ୍ଥାକୁ ବେଖାତିର କରି, ମରଣାସ୍ତ୍ରରେ ସଜ୍ଜିତ ହୋଇ ଗହୀରମଥାରେ ମାଛ ମାରୁଥିବା ମାଫିଆଙ୍କ ଉପରେ ଏହି ଡ୍ରୋନ କ୍ୟାମେରା ନଜର ରଖିବ । ନିଷିଦ୍ଧ ସମୟରେ ସମୁଦ୍ର ତଟକୁ ବେଆଇନଭାବେ ପ୍ରବେଶ କରୁଥିବା ଟ୍ରଲର, ଡ଼ଙ୍ଗା ଗୁଡିକୁ ମଧ୍ୟ ଡ୍ରୋନ କ୍ୟାମେରା ଦ୍ୱାରା ନିରୀକ୍ଷଣ କରିହେବ ! ଗୋଆରେ ମଧ୍ୟ ଏହି ପ୍ରକାର କୌଶଳ ଅବଲମ୍ବନ କରାଯାଇଛି ।

ଆର୍ଦ୍ରଭୂମି ସୁରକ୍ଷା ବଳୟରେ ଡ୍ରୋନ କ୍ୟାମେରା ଦ୍ୱାରା ନିରୀକ୍ଷଣ କରାଯିଵ ! ତେବେ ମାଛମାଫିଆ ଓ ବନ୍ୟପ୍ରାଣୀ ଶିକାରୀଙ୍କ ଉପରେ ଏହି ଡ୍ରୋନ କ୍ୟାମେରାର ଆଖି କେତେ ସଫଳ ହେବ ତାହା ସମୟ କହିବ !

Leave a Reply

Your email address will not be published. Required fields are marked *