ପରିବାର ପୋଷୁଥିବା ଦୁତିକା ଆଜି ଶଯ୍ୟାସାୟୀ

Spread the love

ନବରଙ୍ଗପୁର: ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁତିକା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅସ୍ଵାଭାବିକ ଭାବରେ ଦୁତିକାଙ୍କ ମୁହଁରେ ମାଂସ ପିଣ୍ଡୁଳା ବଢ଼ୁଛି । ଯାହାଫଳରେ ନା ସେ ଖାଇପାରୁଛନ୍ତି ନା ଠିକ ଭାବେ ଶୋଇପାରୁଛନ୍ତି । ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଥିବାରୁ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି ଦୀପିକା

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସାରୁ ଗାଁ। ଏହି ଗାଁରେ ରହୁଥିବା ବିଧବା ମହିଳା ଚଞ୍ଚଳା ଯାନୀଙ୍କ ବଡ଼ ଝିଅ ଦୂତିକା ଯାନୀ । କିଛି ମାସ ତଳେ ସେ ଦାଦନ ଖଟିବାକୁ କେରଳ ରାଜ୍ୟର ତିରପୁର ଅଞ୍ଚଳକୁ ଯାଇଥିଲେ । ସେଠାରେ ଦୁତିକାଙ୍କ ଗାଲ ଫୁଲି ଯନ୍ତ୍ରଣା ହୋଇଥିଲା । ପ୍ରଥମେ ଘର ଲୋକ ଦୁତିକାଙ୍କ ଗାଲ ଫୁଲିବା ଦେଖି ଗାଲୁଆ ହୋଇଥିବ ଭାବିଥିଲେ । କିନ୍ତୁ ଏହା କମିବା ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଲା। ପରିବାର ଲୋକ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଦୁତିକାଙ୍କୁ ଡାକ୍ତର ଦେଖିବା ପରେ କଟକ କିମ୍ବା ବିଶାଖାପାଟଣା ନେବାକୁ ପରାମର୍ଶ ଦେଇଥିଲେ। ଦୁତିକାଙ୍କ ଚିକିତ୍ସା କରିବାକୁ ଅର୍ଥ ଅଭାବ ଥିବାରୁ ସରକାର କିମ୍ବା ଅନ୍ୟ କୌଣସି କ୍ଷେତ୍ରରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଦୁତିକା ଏବଂ ପରିବାର ଲୋକେ ।

ଦୁତିକାଙ୍କ ପରିବାର କହିଲେ ବିଧବା ମାଆ, ଦୁଇ ସାନ ଭଉଣୀ ଓ ଗୋଟିଏ ଭାଇ। ଏହି ପାଞ୍ଚ ପ୍ରାଣୀଙ୍କ ପେଟ ପୋଷିବା ପାଇଁ ବିଧବା ମାଆ ଦିନତମାମ ପର ଘରେ କୁଲିମୁଜୁରୀ କରୁଛନ୍ତି । ପରିବାରର ବୋଝକୁ ଟିକିଏ ହାଲୁକା କରିବା ପାଇଁ  ଦୂତିକା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲା। କିନ୍ତୁ ଦଇବ ଦାଉ ସାଧିଲା, ରୋଜଗାର କରି ପରିବାରର ଦାଇତ୍ୱ ନେବା ପାଇଁ ମନସ୍ଥ କରିଥିବା ବଡ଼ଝିଅ ଏବେ ନିଜେ ଶଯ୍ୟାଶାୟୀ। ତେବେ ଏ ଵିଷୟ ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଦୁତିକାଙ୍କ ଚିକିତ୍ସା ପାଇଁ ଆଗକୁ ଆସି ଦୂତୀକା କିଭଳି ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ଜୀବନ ବିତାଇବ ସେ ଦିଗରେ ପ୍ରୟାସ କରିବେ ବୋଲି କହିଛନ୍ତି।

ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୁତିକାଙ୍କ ଚିକିତ୍ସା ପାଇଁ କେବଳ ସରକାର ହିଁ ନୁହଁ, କୌଣସି ବୈଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଆଗକୁ ଆସି ସହଯୋଗ କଲେ ସେ ସାଧାରଣ ଜୀବନ ବଞ୍ଚିବାରେ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ରବି ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *