୭୫ହଜାର ସରକାରୀ ଚାକିରିଆ ହାତେଇଥିଲେ ରାସନକାର୍ଡ

ଇ-କେଓ୍ୱାସି ପରେ ଏବେ ସର୍ଭେ ଆଳରେ ଲୋକଙ୍କ ରାସନକାର୍ଡ କାଟୁଛନ୍ତି ସରକାର। ଡବଲ ଇଞ୍ଜିନ ସରକାରରେ ଡବଲ ମାଡ଼ ଚାଲିଛି। ନୂଆ ସରକାରଙ୍କ କୁଆଡ଼େ ନୂଆ ସ୍ଲୋଗାନ। ଖାଦ୍ୟ ସୁରକ୍ଷା ଯୋଜନାରେ ଯେତେ ସମ୍ଭବ ଯୋଗ୍ୟ ହିତାଧିକାରୀଙ୍କୁ କାଟି ଅଯୋଗ୍ୟଙ୍କୁ ସାମିଲ କର। ଓଡ଼ିଶାରେ ନୂଆପଡ଼ା ଉପ-ନିର୍ବାଚନ ଲାଗି କିଛି ଦିନ ଲାଗି ହିତାଧିକାରୀଙ୍କ ନାଁ କଟାଯାଇନି। ରାସନକାର୍ଡ ପାଇଁ ସରକାର ରଖିଥିବା ମାପକାଠିକୁ ନେଇ ବିଧାନସଭାରେ ଏଭଳି ଢଙ୍ଗରେ ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟରେ ୩୯ଲକ୍ଷ୨୭ହଜାର୭୫ ଜଣଙ୍କୁ ଅଯୋଗ୍ୟ ଦର୍ଶାଇ ତାଲିକାରୁ କାଟିବାକୁ ଜିଲ୍ଲାପାଳଙ୍କ ଉପରେ ଚାପ ପକାଉଛନ୍ତି ସରକାର। ଏତେ ଚାପ ସତ୍ତ୍ୱେ ୪ଲକ୍ଷ୭୪ହଜାର୯୮୫ ଜଣଙ୍କୁ କଟାଯାଇଛି। ଅର୍ଥାତ୍ ମାତ୍ର ୧୦ ପ୍ରତିଶତ। ଗଲା ୬ ମାସ ଧରି ଯେଉଁମାନେ ଚାଉଳ ଉଠାଇନାହାନ୍ତି, ସେମାନଙ୍କୁ ବି ତାଲିକାରୁ ବାଦ୍ ଦେବାକୁ ମାପକାଠି ରଖାଯାଇଛି। ବାହାର ରାଜ୍ୟକୁ ଦାଦନ ଯାଇଥିବା ଲୋକ କେମିତି ଚାଉଳ ଉଠାଇବେ ବୋଲି ପଚାରିଛନ୍ତି ରାଜା ସ୍ୱାଇଁ। ଦାଦନଙ୍କ ଲାଗି ସରକାରଙ୍କ କେତେ ଦରଦ, ଏଥିରୁ ବୁଝାପଡ଼ୁଛି। କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ଉପା ସରକାର ସମୟରେ କୌଣସି ଲୋକ ଭୋକରେ ନ ରହିବାକୁ ଅନ୍ତ୍ୟୋଦୟ, ବିପିଏଲ କାର୍ଡ ପ୍ରଚଳନ କରାଯାଇଥିଲା। ଜନସଂଖ୍ୟା ବୃଦ୍ଧି କାରଣରୁ ୨୦୧୩ରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କଲେ। କିନ୍ତୁ ସରକାର ବଦଳିବା ପରେ ଏହା ଭିତରେ ଦୁଇଥର ବଦଳିଲାଣି ରାସନକାର୍ଡ ରଙ୍ଗ। ୯ଟି ମାପଦଣ୍ଡ ଆଳରେ ଲୋକଙ୍କୁ ରାସନକାର୍ଡରୁ ବଞ୍ଚିତ କରାଯାଉଛି। ଇ-କେଓ୍ୱାଇସି ପାଇଁ ସରକାର ପ୍ରକ୍ରିୟା କରୁଥିଲେ ସୁଦ୍ଧା ଅନେକ ସ୍ଥାନରେ ନେଟଓ୍ୱର୍କ ନାହିଁ। ଅନଭିଜ୍ଞ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ରଖାଯାଇଛି। ୧୫ ବର୍ଷ ଆଗରୁ ଆଧାର କରିଥିବା ଲୋକଙ୍କର ପିଙ୍ଗର ପ୍ରିଣ୍ଟ୍ ନେଉନି। ବୃଦ୍ଧ ଲୋକଙ୍କ ଘରକୁ ଇ-କେଓ୍ୱାଇସି ପାଇଁ ଯାଉନାହାନ୍ତି ସରକାରୀ ଅଧିକାରୀ। ଆୟକର ମାପକାଠି ଆଳରେ ରାସନ କାର୍ଡ କଟାଯାଉଛି। ଦାଦନ ଖଟୁଥିବା ଗରିବ ଘର ଖଣ୍ଡେ କରିବାକୁ ଋଣ କଲେ ଆୟକର ଭରୁଛନ୍ତି। ଆୟକର ଭରୁଥିବା କହି ବି ରାସନ କାର୍ଡ କଟାଯାଉଛି। ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,  ମୋଟ୍ ୮ ଲକ୍ଷ ୧୬ହଜାର ୫୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ରାସନକାର୍ଡ କଟିଛି। ଏଥିରୁ ୭୫ହଜାର ୩୦ ଜଣ ସରକାରୀ ଚାକିରିଆ ବି ହାତେଇଥିଲେ ରାସନକାର୍ଡ। ୪୫ହଜାର ୪୯୬ ଜଣ ଇନକମ ଟାକ୍ସ ଦେଉଥିବା ଲୋକଙ୍କର ବି ରାସନକାର୍ଡ କଟିଛି। ୬ଲକ୍ଷ୯୫ହଜାର୫୩୦ ମୃତ ବ୍ୟକ୍ତିଙ୍କ ରାସନକାର୍ଡ କଟିଛି। ଏଭଳି ଜାଲିଆତି ଦ୍ୱାରା ବର୍ଷକୁ ୨୧୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଯାଉଥିଲା। ଯାହାକୁ ନୂଆ ସରକାର ବଞ୍ଚେଇଦେଇଛନ୍ତି। ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିନି। ୬ଲକ୍ଷ ୩୯ହଜାର୮୨୭ ଜଣଙ୍କୁ ନୂଆ ରାସନକାର୍ଡ ସରକାର ଦେଇଛନ୍ତି। ଏଯାବତ୍ ୯୬ ପ୍ରତିଶତ ଇ- କେଓ୍ୱାଇସି ସରିଛି। ଇ- କେଓ୍ୱାଇସି ଓ ସର୍ଭେ ଆଳରେ ରାସନକାର୍ଡ କାଟି ହିତାଧିକାରୀଙ୍କୁ ହନ୍ତସନ୍ତ କରାଯାଉଥିବା ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଆଜି ଏଭଳି ସରଗରମ ଆଲୋଚନା ଦେଖିବାକୁ ମିଳିଥିଲା ଗୃହରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *