କିଛି ଦିନ ହେବ ଚମ୍ପୁଆ ରେଞ୍ଜର ବିଭିନ୍ନ ଗାଁମାନଙ୍କରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଘଉଡାଇବା ପାଇଁ ଉଦ୍ୟମ କରୁଥିଲେ ବି ହାତୀପଲ ମାନୁନାହାନ୍ତି । ଚମ୍ପୁଆ ରେଞ୍ଜ ମିରିଗିସିଙ୍ଗା ଓ କୋଦଗାଡ଼ିଆ ଗାଁରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ଉତ୍ପାତ ମଚେଇଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଗୋଠ ଛଡ଼ା ଦନ୍ତା ହାତୀଟି ମିରିଗିସିଙ୍ଗା ଜଙ୍ଗଲରୁ ଆସି ଗାଁ ଭିତରେ ପ୍ରବେଶ କରିବା ପରେ ସୁନା ରାମ ମୁଣ୍ଡାଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଥିଲା । ଏହାପରେ ପାଖ ଗାଁ କୋଦଗାଡିଆକୁ ଯାଇ ବସନ୍ତ ନାଏକ ଓ ଉଦୟ ନାଏକଙ୍କ ଦୁଇ ବଖରା ଘର ଭାଙ୍ଗିବା ସହ ଘର ଭିତରେ ରଖାଯାଇଥିବା ଧାନ ଚାଉଳ ସବୁ ଖାଇବା ପରେ ପୁଣି ମିରିଗି ସିଙ୍ଗା ଜଙ୍ଗଲକୁ ଚାଲିଯାଇଛି। ଏମିତିରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now