ସବୁଠି ଫୁଟିବ ପଦ୍ମ!

Spread the love

() ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି। ଆଗକୁ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଫଳତା ବାବଦରେ ଲୋକଙ୍କୁ ଅବଗତ କରାଇବେ ବୋଲି ଦଳ କହିଛି । ବିଶେଷ ଭାବରେ ୧୯ ସାଧାରଣ ନିର୍ବାଚନରେ ଯେଉଁ ସଂସଦୀୟ କ୍ଷେତ୍ରରେ ଦଳ ଦ୍ୱିତୀୟ ସ୍ଥାନରେ ଥିଲା ସେ ସବୁକୁ ବିଜେପି ଅକ୍ତିଆର କରିବା ପାଇଁ ଅଣ୍ଟା ଭିଡିବା ସହ ରାଜ୍ୟରେ ସରକାର ଗଠନ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି। ଏପଟେ ବିଜେପିର ଓଡ଼ିଶା ଦଖଲ ଦିବା ସ୍ୱପ୍ନ କହି ଟାର୍ଗେଟ କରିଛି ବିଜେଡି। କଂଗ୍ରେସ ମଧ୍ୟ କରିଛି କଟାକ୍ଷ ।

ବିଜେପି ଫୋକସରେ ୧୬ ଲୋକସଭା ସିଟ। ବାଛି ବାଛି ସେହି ସ୍ଥାନକୁ ଆସିବେ କେନ୍ଦ୍ରୀୟ ନେତା। ଏଥର ବିଧାନସଭାରୁ ଲୋକସଭା ସବୁଠି ଫୁଟିବ ପଦ୍ମ! ଦିବା ସ୍ୱପ୍ନ କହିଲେ ବିଜେଡି ଓ କଂଗ୍ରେସ । ଓଡ଼ିଶା ଦଖଲ ଅଭିଯାନ ପାଇଁ ବିଜେପିର ପ୍ରସ୍ତୁତି। ଏହି କ୍ରମରେ ଜଣେ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ଆରମ୍ଭ ହୋଇସାରିଛି । ବିଶେଷ ଭାବରେ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସି ସିଧା ସଳଖ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟରେ ସରକାର କିଏ ଚଳାଉଛି ବୋଲି ପ୍ରଶ୍ନ କରି ଆଗାମୀ ଲଢେଇ ଯେ ଜୋରଦାର ହେବ ତାର ସଂକେତ ଦେଇଛନ୍ତି। ଏହାସହ ରାଜ୍ୟର ୧୨ ସଂସଦୀୟ କ୍ଷେତ୍ର ଯେଉଁଠି ଦଳ ୧୯ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲେ ସେଠାକୁ ଆଗକୁ ଗୃହମନ୍ତ୍ରୀ ଅମୀତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବେ ବୋଲି ଦଳ ସୂଚନା ଦେଇଛି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ପାଇଁ ଅଶ୍ୱମେଧ ଯଜ୍ଞ ଆରମ୍ଭ ହେଲା କହି ଜେପି ନଡ୍ଡାଙ୍କ ସହ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି । ତାହା ପୁଣି ବିଜେପି ରାଜନୀତି ପାଇଁ ଅତ୍ୟନ୍ତ ସମ୍ୱେନଶୀଳ ସ୍ଥାନ କନ୍ଧମାଳରୁ । ଜଲେଶପେଟା ଆଶ୍ରମ ଯାଇ ଆଗାମୀ ରାଜନୀତିର ନୀତି କ’ଣ ହେବ ତାର ବାର୍ତ୍ତା ଦେଇଛନ୍ତି ନଡ୍ଡା। ଏହାସହ  ୨୦୨୪ ନିର୍ବାଚନ ପାଇଁ ବିଜୟ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଥିବା କହିଛି ବିଜେପି ।

ସେପଟେ ବିଜେପିର ଓଡ଼ିଶା ଦଖଲକୁ ଦିବା ସ୍ୱପ୍ନ କହିଛି ବିଜେଡ଼ି। ଯେଉଁ ଦଳର ସଭାପତି ନିଜ ରାଜ୍ୟରେ ପରାଜିତ ହେଉଛନ୍ତି, ସିଏ କଣ ଓଡ଼ିଶାରେ ଆସି ପଦ୍ମ ଫୁଟାଇବା ସମ୍ଭବ କି ବୋଲି ପ୍ରଶ୍ନ କରିଛି ଦଳ। ବିଜେପିର ସାଂଗଠନିକ ସ୍ଥିତି ଦୁର୍ବଳ ଥିବାରୁ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଘନ ଘନ ଓଡିଶା ଆସିବାକୁ ପଡ଼ୁଛି। ହେଲେ ଏହା ପ୍ରଭାବଶୂନ୍ୟ ବୋଲି ଶାସକ ଦଳ କହିଛି । ଏପଟେ ଉଭୟ ବିଜେଡ଼ି ବିଜେପି ଭାଇ ଭାଇ କଥାକୁ ଦୋହରାଇଛି କଂଗ୍ରେସ । ଉଭୟ ଦଳ ଲୋକଙ୍କ କଥା ଛାଡ଼ି ନିଜ ସ୍ୱାର୍ଥ ପାଇଁ ଲଢୁଥିବା କହିଛି କଂଗ୍ରେସ ।

ତେବେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ରାଜନୈତୀକ କସରତ ଆରମ୍ଭ କରିଦେଇଛନ୍ତି ତିନି ପ୍ରମୁଖ ଦଳ । ବିଜେଡ଼ି ସୁପ୍ରିମୋ ଘନ ଘନ ଜିଲ୍ଲା ଗସ୍ତ ସହ ପ୍ୟାକେଜ ଘୋଷଣା ଜାରି ରଖିତିବା ବେଳେ ରାଜ୍ୟ ବିଜେପିର ପୋଷ୍ଟର ବୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ କେନ୍ଦ୍ରୀୟ ନେତା ଆସି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ ଆରମ୍ଭ କରିଦେଲେଣି। ଅନ୍ୟପଟେ ଜାନୁଆରୀ ୯ରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ବାକି ଥିବା ଭାରତ ଯୋଡ ଯାତ୍ରା ପୁଣି ଆରମ୍ଭ କରିବ ଓ ଲୋକଙ୍କ ପାଖକୁ ପହଞ୍ଚି ଉଭୟ ବିଜେଡ଼ି ଓ ବିଜେପି ସରକାରଙ୍କ ମୁଖା ଖୋଲିବାର ଯୋଜନା କରିଛି ।

ନବ କିଶୋର ସାହୁ

Leave a Reply

Your email address will not be published. Required fields are marked *