ଅଧିକ ବସ ଭଡା ପଡିଲା ମହଙ୍ଗା, ଦୁଇ କଣ୍ଡକଟର ଅଦାଲତ ଚାଲାଣ

Spread the love

କୋରେଇ : ବାହାନଗା ରେଳ ଦୁର୍ଘଟଣା ପରେ ମାନବିକତା ଭୁଲି ବସ କଣ୍ଡକଟର ଓ ମାଲିକଙ୍କ ସଲାସୁତୁରାରେ ବସ ଭଡା ଅଧିକ ବୃଦ୍ଧି କରିଛନ୍ତି । ଏଭଳି ଦୁଖଃଦ ସମୟରେ ଲୋକମାନଙ୍କ ଭିଡ ଦେଖି ଦୂରଗାମୀ ବସ ମାନେ ସେମାନଙ୍କ ଭଡାକୁ ଅଧିକ କରିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଓ ପରିବହନ ବିଭାଗ ଏଥି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସବୁ ପରେ ବି ବସ କଣ୍ଡକଟର ମାନେ ଦୂରଗାମୀ ଯାତ୍ରୀ ମାନଙ୍କ ଠାରୁ ଅଧିକ ଭଡା ଓ ଅଧିକ ଲୋକ ନେବା ଦେଖାଯାଇଛି । ମାନବିକତା ଭୂଲି ବସ ଗୁଡିକର ଏଭଳି ମନମାନୀକୁ ସାଧାରଣରେ ନିନ୍ଦା କରାଯାଇଛି । ଏଦିଗରେ ପୁଲିସ ଓ ପରିବହନ ବିଭାଗ ଅଧିକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଥିଲା । ଆଜି ଭୁବନେଶ୍ୱରରୁ କଲିକତା ଅଭିମୁଖେ ବୃନ୍ଦାବନ ବିହାରୀ ନାମକ ଏକ ଘରୋଇ ବସ (ଡବ୍ଲୁବି ୭୬ ଏ ୪୪୩୯) ବାହାରିଥିଲା । ସେ ଯାତ୍ରୀ ମାନଙ୍କ ଠାରୁ ଅଧିକ ଭଡା ନେବାରୁ ଜଣେ ଯାତ୍ରୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶିତ ଟୋଲ ଫ୍ରି ନମ୍ବରରେ କଲ କରି ଜଣାଇଥିଲେ । ଏନେଇ ବିଭାଗ ପକ୍ଷରୁ ଯାଜପୁର ପରିବହନ ବିଭାଗକୁ ଅବଗତ କରାଯାଇଥିଲା । ପରିବହନ ବିଭାଗ ଅଧିକାରୀ ମାନେ ପାଣିକୋଇଲି ଠାରେ ଉକ୍ତ ବସକୁ ଧରିବା ସହ ଅଭିଯୁକ୍ତ ଦୁଇ କଣ୍ଡକଟର କୁ ଧରି ଥାନା ଜିମା ଦେଇଥିଲେ । ଏନେଇ ଏକ ମାମଲା ୧୩୪/୨୩ ରୁଜ୍ଜୁ କରାଯିବା ସହ ଦୁଇ କଣ୍ଡକଟର ଯାଜପୁର ଜିଲ୍ଲା ଧମର୍ବଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମର ଯଦୁନାଥ ସାମଲଙ୍କ ପୁଅ ସୁଧାଂଶୁ ସାମଲ (୩୬) ଓ ପଶ୍ଚିମ ବଙ୍ଗ ପୁରୁଚିଆ ନଦିନା ଦୁଲମି ଗ୍ରାମର ବାଣିକଣ୍ଠ ସେନଙ୍କ ପୁଅ ରଂଜିତ କୁମାର ସେନ(୩୬)କୁ ଗିରଫ କରି ଦଫା ୩୮୪, ୩୪ ଆଇପିସିରେ ଅଦାଲତ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *