ଆଜି ପୁଣି ଗୃହରେ ନବ ଦାସ ଏପିସୋଡର ପୁନରାବୃତ୍ତି

Spread the love

() ଦୀର୍ଘ ୩ ଘଣ୍ଟା ଧରି ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଧାନସଭାର ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ବି ଗୃହରେ ବିବୃତ୍ତି ରଖିସାରିଛନ୍ତି। ହେଲେ ଏହି ଆଲୋଚନା ଓ ସରକାରଙ୍କ ଉତ୍ତରରେ ସାଧାରଣ ଜନତା ସନ୍ତୁଷ୍ଟ ନୁହଁନ୍ତି। ମନ୍ତ୍ରୀଙ୍କ ହତ୍ୟା ପଛର ଗୁମରକୁ ନେଇ କୌଣସି କଥା ପଦାକୁ ଆସୁନି। କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନି। ଏଭଳି ସ୍ଥିତିରେ ଆଜି ପୁଣି ଥରେ ବିରୋଧୀ ନବ ହତ୍ୟାକାଣ୍ଡ ଏପିସୋଡ୍ ଉଠାଇ ସରକାରଙ୍କଠୁ ଏହାର ସ୍ପଷ୍ଟୀକରଣ ଲୋଡିଛନ୍ତି। ଆଉ ଭଟଲି ବିଧାୟକ ସୁଶାନ୍ତ ସିଂ ପୁରା ଷଡ଼ଯନ୍ତ୍ର ପ୍ରକରଣରେ ଥିବା କହି ଆରୋପ ଲଦିଛନ୍ତି।

ଫେବୃଆରୀ ୨୨। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଅଗ୍ରଗତି ବାବଦରେ ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ। ଫେବୃଆରୀ ୨୩। ଦୀର୍ଘ ୩ ଘଣ୍ଟା ଧରି ନବ ଦାସ ହତ୍ୟାକାଣ୍ଡ ବାବଦରେ ବିରୋଧୀ ଦଳ ଆଣିଥିବା ସ୍ୱତନ୍ତ୍ର ମୋସନକୁ ନେଇ ବି ଆଲୋଚନା ହେଲା। ତେବେ ବିରୋଧୀଙ୍କ ପ୍ରଶ୍ନ ଓ ସରକାରଙ୍କ ଉତ୍ତରକୁ ନେଇ ସାଧାରଣ ଜନତା ଅସନ୍ତୁଷ୍ଟ। ସେମାନଙ୍କ ମନକୁ ଛୁଉଁନି। ଲୋକଙ୍କ ବିଶ୍ୱାସ ହେଉନି। କାରଣ ନବ ହତ୍ୟାକାଣ୍ଡ ପଛରେ କେଉଁ ପ୍ରକାର ଷଡ଼ଯନ୍ତ୍ର ହୋଇଛି, ସେ କଥା କେହି ଜାଣିପାରିଲେନି। ଏହା ବ୍ୟବସାୟିକ, ରାଜନୈତିକ ନା ବ୍ୟକ୍ତିଗତ ଶତୃତା। ସେଥିଲାଗି ଆଜି ଶୂନ୍ୟକାଳରେ ଉଭୟ କଂଗ୍ରେସ ଓ ବିଜେପି ଏ କଥା ପୁଣି ଉଠାଇଛନ୍ତି। ଗୋପାଳ ଦାସ କାହିଁକି ମାରିଲା। ଗୋପାଳ ପାଗଳ କି ନୁହେଁ, ସେ କଥାରେ ମାତିଛି କ୍ରାଇମବ୍ରାଞ୍ଚ୍। କିନ୍ତୁ କାହିଁକି ଓ କାହା କଥାରେ ମାରିଲା, ସେ ଦିଗକୁ ଯାଉନି। ଏତେ ବଡ଼ ହାଇପ୍ରୋଫାଇଲ ଘଟଣାକୁ ନେଇ ଗୃହ ମନ୍ତ୍ରୀ ଗୃହକୁ ସମୟ ସମୟରେ ଅବଗତ କରାନ୍ତୁ। ସେଥିଲାଗି ତ ଏସଆଇଟି ନଚେତ ସିବିଆଇ ତଦନ୍ତ ହେଉ ବୋଲି ଦାବିକୁ ଦୋହରାଇଛନ୍ତି ବିରୋଧୀ। ଆଉ ପୁରା ପ୍ରକରଣରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାଁ ଆସୁଥିବାରୁ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ସାଲୁଜା। ନବଙ୍କ ସାମ୍ରାଜ୍ୟ ବୃଦ୍ଧିରେ ଅସହିଷ୍ଣୁ ହୋଇପଡ଼ିଥିଲେ ସୁଶାନ୍ତ।

ସେପଟେ ୯ଟି ଆର୍ଥିକ ପୁରଷ୍କାର ସହ ୧୮ ପ୍ରଶଂସାପତ୍ର ପାଇଥିବା ଗୋପାଳଙ୍କୁ ପାଗଳ ସଜାଇବାକୁ ଫନ୍ଦି ଚାଲିଛି। ନବ ଦାସ ହତ୍ୟାକାଣ୍ଡ ଏକ ଷଡ଼ଯନ୍ତ୍ର ଓ ଗୋପାଳ ଏକ ମୋହରା। ଏହାର ପ୍ରତିବାଦରେ ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଓ କରିବ। ଆଉ କାଉଣ୍ଟରରେ ଶାସକ ଦଳ କହିଛି, ସୁଶାନ୍ତ ଜଣେ ଅମାୟିକ ବ୍ୟକ୍ତି। ବିରୋଧୀ ଅନ୍ଧାରରେ ବାଡ଼ି ବୁଲାଇବା ଛାଡ଼ନ୍ତୁ। ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପପ୍ରୟାସ। ତଦନ୍ତରେ ସବୁ ଦିଗକୁ ଦେଖାଯାଉଛି।

ନବ ଦାସ ହତ୍ୟାକାଣ୍ଡ ଏପିସୋଡ୍। ଅଭିଯୁକ୍ତ ଗୋପାଳ ଚାରିପଟେ କ୍ରାଇମବ୍ରାଞ୍ଚର ତଦନ୍ତ ଘୁରିବୁଲୁଛି। କିନ୍ତୁ ଷଡ଼ଯନ୍ତ୍ରର ପ୍ଲଟକୁ ଠାବ କରାଯାଇପାରିନି ଏ ଯାଏ। ଯାହାକୁ ନେଇ ବିରୋଧୀଙ୍କ ସନ୍ଦେହ ସ୍କାନରରେ କ୍ରାଇମବ୍ରାଞ୍ଚ ଓ ସରକାରୀ କଳ।

 ସ୍ୱରୂପା ମହାପାତ୍ର, ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *