କାଳିଆ ସହାୟତା ଅଭିଯୋଗ ଆବେଦନର ସମୟସୀମା ୩୦ ଦିନରୁ ୯୦ ଦିନକୁ ବୃଦ୍ଧି

Spread the love

ଭୁବନେଶ୍ୱର : କାଳିଆ ହିତାଧିକାରୀ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି କାଳିଆ ସହାୟତା ଅନ୍ ଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଏ ସଂପର୍କିତ ସଂଶୋଧିତ ଆଦେଶନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି ।

ସଂଶୋଧିତ ଆଦେଶନାମାରେ ୨୦୨୧ ମଇ ୫ ତାରିଖରେ ଜାରି କରାଯାଇଥିବା ଅଦେଶନାମାକୁ ସଂଶୋଧନ କରାଯାଇଛି । ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଏହି ପୋର୍ଟାଲ ପୂର୍ବରୁ ୩୦ ଦିନ ପରିବର୍ତେ ୯୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ସମସ୍ତ ଅଭିଯୋଗଗୁଡ଼ିକୁ ୪୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରରେ ଯାଂଚ କରାଯିବ ।

ସୂଚନାଯୋଗ୍ୟ ଯେ ଗତ ୨୦୨୩ ଅପ୍ରେଲ ୧ ତାରିଖ ଏବଂ ମଇ ୨୩ ତାରିଖରେ ହିତାଧିକାରୀ ଚାଷୀମାନଙ୍କୁ ଖରିଫ ୨୦୨୩ ନିମନ୍ତେ ପ୍ରଦାନ କରାଯାଇଥିବା କାଳିଆ ସହାୟତା ପାଇଁ ଏହି ଆଦେଶନାମା ଜାରି ହେବା ସଙ୍ଗେ ସଙ୍ଗେ ପୋର୍ଟାଲ ଖୋଲାଯିବ ଏବଂ ପରବର୍ତୀ ପର୍ଯ୍ୟାୟ କାଳିଆ ସହାୟତା ପ୍ରଦାନକୁ ଦୃଷ୍ଟିରେ ରଖି ଏହା ୨୦୨୩ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଖୋଲାରହିବ । ଏହି ସଂଶୋଧିତ ପଦ୍ଧତି ପରବର୍ତୀ ଫସଲ ଋତୁ ଏବଂ ବର୍ଷଗୁଡ଼ିକରେ ମଧ୍ୟ ଅନୁସରଣ କରାଯିବ ବୋଲି ଆଦେଶନାମାରେ ଉଲ୍ଲିଖିତ ହୋଇଛି । ଏହି ସଂଶୋଧିତ ଆଦେଶନାମା ଜାରି ହେବା ଦିନଠାରୁ କାର୍ଯ୍ୟକାରୀ ହେବ ।

Leave a Reply

Your email address will not be published. Required fields are marked *