ବନ୍ୟା ଧୋଇ ନେଲା ବର୍ଷକର ଦାନା, ଚିନ୍ତାରେ ଚାଷୀ

ପିପିଲି: ବନ୍ୟା ଛଡ଼ାଇ ନେଲା ଚାଷୀ ମୁହଁର ହସ, ଉଜାଡ଼ି ଗଲା ସୁନାର ଫସଲ । ସବୁଜ ସୁନ୍ଦର ଚାଷ ଜମିରେ ବନ୍ୟା ପାଣି ପସି ସୃଷ୍ଟି ହୋଇଛି ବାଲିଚର। ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ମାଡ଼ି ଯାଇଥିଲା ବେଳେ ଚାଷ ଜମିକୁ ଦେଖି ହତାଶ ହୋଇ ଯାଇଛି ପିପିଲି ଚାଷୀ।  ଦଇବ ଛାଟରେ ଘାଇଲା ହୋଇଥିବା ଚାଷୀ ଏ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛି। ସେପଟେ ଆଜିଠାରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଥିଲା ବେଳେ ରିଲିଫ କୋଡ୍ ଅନୁସାରେ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି।

ଦୟାନଦୀର ବନ୍ୟାରେ ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ମୌଜାର ଏକର ଏକର ଚାଷ ଜମିରେ ବାଲି ମାଡିଯାଇଛି। ପିପିଲି-ଜଟଣୀ ରାସ୍ତା ଉପରେ ବନ୍ୟାଜଳ ଆଠ ଦିନ ଧରି ପ୍ରବାହିତ ହୋଇଥିଲା। ଏହାର ପ୍ରଭାବରେ କଣ୍ଟି ମୌଜାରେ ଥିବା କଣ୍ଟି, ସାନକଣ୍ଟି, ନାରଣଖେତା, ବାରିମୂଳ ଓ ପାଣିଦୋଳ ପଞ୍ଚାୟତର କେରୁଣ୍ଡେଇ, ମାର୍ଥା ଆଦି ଗ୍ରାମର ଚାଷୀଙ୍କର ଶହ ଶହ ହେକ୍ଟର ଚାଷଜମିରେ ବାଲି ମାଡିଯାଇଛି। କେଉଁଠି ଅଢେଇ ଫୁଟ୍‍ ଉଚ୍ଚରେ ତ ପୁଣି କେଉଁଠି  ଦୁଇ ଫୁଟ ଉଚ୍ଚରେ ବାଲି ମାଡିଯାଇଛି।

ବନ୍ୟାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି।  ଏହାକୁ ନେଇ କଣ୍ଟିର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ଏବେ ଚିନ୍ତାରେ । ଅଳ୍ପ କିଛି ଦିନ ପୂର୍ବରୁ ଜମିରେ ଧାନ ରୁଆ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଚାଷ ଜମି ଏବେ ବାଲିମୟ। ପରିବାର କିଭଳି ଭରଣ ପୋଷଣ କରିବ ଚାଷୀ ବାପୁଡା ଓ ଋଣ କିଭଳି ପରିଶୋଧ କରିବ ତାକୁ ନେଇ ଚିନ୍ତାରେ ଦିନ କାଟୁଛି ଚାଷୀ। ଏଥିସହ ଚାଷୀ ଋଣ ଛାଡ ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ଅନ୍ୟପଟେ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *