ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ

Spread the love

() ମଣ୍ଡି ଅବ୍ୟବସ୍ଥା ଓ ଧାନର ଉଚିତ ମୂଲ୍ୟ ନମିଳିବା ପ୍ରସଙ୍ଗରେ କୃଷକ ସଂଗଠନର ପ୍ରତିବାଦ। ନବୀନ ନିବାସ ଧସେଇ ପଶିବାକୁ ଚାଷୀ ସଂଗଠନର ଉଦ୍ୟମ ବେଳେ ଚାଷୀଙ୍କୁ ଗିରଫ କଲା ପୋଲିସ । ସେପଟେ ଚାଷୀ ପ୍ରସଙ୍ଗକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଅନ୍ୟପଟେ ସରକାରୀ ଦଳର କହିବା କଥା, ସମସ୍ତ ସୁବିଧା କରାଯାଇଛି , ସରକାର ସଚେତନ ଅଛନ୍ତି,କୌଣସି ଅସୁବିଧା ହେବନାହିଁ । ଧାନ ସବୁଠୁ ଉଠିବ ବୋଲି ପ୍ରତିକ୍ରିୟା ରଖିଛି ଶାସକ ଦଳ।

ସମୟ ସକାଳ ୭.୪୫ ରୁ ୮ଟା । ସ୍ଥାନ ନବୀନ ନିବାସ, ହଠାତ କିଛି ଚାଷୀ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହାସହ କୁଇଣ୍ଟାଲ କୁଇଣ୍ଟାଲ ଧାନକୁ ରାସ୍ତା ଉପରେ ଢାଳି ପ୍ରତିବାଦ କରିଥିଲେ। ଯାହାକୁ ଦେଖି ତୁରନ୍ତ ତତ୍ପର ହୋଇ ଉଠିଥିଲା ପୋଲିସ । ଚାଷୀଙ୍କୁ ଅଟକାଇବାକୁ ଯାଇ ପୋଲିସ ଓ ଚାଷୀ ମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ଧାନ ମଣ୍ଡିରେ ଅବ୍ୟବସ୍ଥା, ମିଲର ମାନଙ୍କ କଟନୀଛଟନୀ, ଟୋକନ ଥାଇ ଧାନ ସଠିକ ସମୟରେ ନ ଉଠିବା ଓ ଧାନର ଉପଯୁକ୍ତ ମୂଲ୍ୟ ନଦେବା ଆଦି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ନବୀନ ନିବାସ ଧସେଇ ପଶିବାର କାରଣ ବୋଲି ସଂଗଠନ କହିଛନ୍ତି। ହେଲେ ପ୍ରତିବାଦ ସମୟରେ ପୋଲିସ ଚାଷୀଙ୍କୁ ନବୀନ ନିବାସ ପାଖରୁ ଉଠାଇନେଇଥିଲା । ପରେ ପରେ ପୁଣି ଚାଷୀ ଗାନ୍ଧୀମାର୍ଗରେ ଧାରଣାରେ ବସିଥିଲେ । ସେଠାରୁ ମଧ୍ୟ ପୋଲିସ ଚାଷୀଙ୍କ ସମେତ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ଗିରଫ କରି ନେଇ ଯାଇଥିଲା ।

ଚାଷୀଙ୍କ ପ୍ରସଙ୍ଗକୁ ନେଇ ଖପା ହୋଇଛି କଂଗ୍ରେସ । ଚାଷୀମାନେ ଯାହା କରିଛନ୍ତି ଭଲ କରିଛନ୍ତି । ରାଜ୍ୟ ସରକାର ହକିରେ ଧ୍ୟାନ ଦେଇଛନ୍ତି ସେଥିପାଇଁ ତାଙ୍କୁ କିଛି ଦେଖାଯାଉନି ବୋଲି ତାଛଲ୍ୟ କରିଛନ୍ତି କଂଗ୍ରେସ ବିଧାୟକ । ୭୨ ଭାଗ ଚାଷୀ, ମଣ୍ଡିରୁ ଧାନ କିଣା ହେଉନି ,ଧାନ ବିକ୍ରି ହୋଇପାରୁନି, ଏମଏସପି ଚାଷୀ ପାଉନାହାଁନ୍ତି । ଆଡ଼େ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଫଟୋକୁ ନେଇ ମୁଁହାମୁହିଁ ହେଉଛନ୍ତି । ସଠିକ ସମୟରେ ଚାଷୀଙ୍କ କଥା ବୁଝିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି । ସେପଟେ ବିଜେପିର ପ୍ରତିକ୍ରିୟା, ଚାଷୀଙ୍କ ବଳ ବିଜୁ ଜନତା ଦଳ କହୁଥିବା ବେଳେ ମଣ୍ଡି ଅବ୍ୟବସ୍ଥା ବେଳେ ବିଧାୟକ ମନ୍ତ୍ରୀ ମାନେ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଅନ୍ୟପଟେ ଶାସକ ଦଳର ପ୍ରତିକ୍ରିୟା ଧାନମଣ୍ଡି ପାଇଁ ରାଜ୍ୟସରକାର ଓ ବିଭାଗ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି । ଧାନ ସବୁ ଜାଗାରୁ ଉଠାଯାଉଛି । କେଉଁଠି ଧାନ ରହିବ ନାହିଁ । ହେଲେ ଟୋକନକୁ ନେଇ କିଛି ଅସୁବିଧା ରହିଥିବା ସ୍ୱୀକାର କରିଛି ଶାସକ ଦଳ ।

ନିକଟରେ ଅନେକ ସ୍ଥାନରୁ ମଣ୍ଡି ଅବ୍ୟବସ୍ଥାର ଖବର ଆସିଛି । ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଧାନ ସବୁ ଭୁବନେଶ୍ୱର ଆଣି ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେବା ସହ ୨୪ ସାଧାରଣ ନିର୍ବାଚନରେ ଭୋଟ ଓ ଭାତରେ ଜବାବ ଦେବ କୃଷକ ସମାଜ ବୋଲି ସିଧା ସିଧା ଚେତାବନୀ ଦେଇଛନ୍ତି ।

ସିମ୍ପୁଲ ନାୟକ ଓ ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *