ସୀମାନ୍ତବର୍ତ୍ତୀ ଗାଁକୁ କ୍ରମାଗତ ଅବହେଳା

Spread the love

ମାଲକାନଗିରି: ବାରମ୍ବାର ବିଭିନ୍ନ ସମସ୍ୟା ପ୍ରଶାସନକୁ ଜଣାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଛତିଶଗଡରେ ମିଶିବା ପାଇଁ ଗ୍ରାମବାସୀଙ୍କ ନିଷ୍ପତି – ମୌଳିକ ସୁବିଧା ଦେବାରେ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବକୁ ଦାୟୀ କରି ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। । ନିର୍ବାଚନ ସମୟରେ ରାଜନେତା ଏବଂ ସରକାରୀ ବାବୁଙ୍କ ପ୍ରତିଶ୍ରୁତିରେ ଏବେ ଅତିଷ୍ଠ ହୋଇ ପଡିଛନ୍ତି ଗ୍ରାମବାସୀ ।

ସୀମାନ୍ତବର୍ତ୍ତୀ ଗାଁକୁ କ୍ରମାଗତ ଅବହେଳା କରାଯାଉଛି। ପଡୋଶୀ ରାଜ୍ୟ ଏହି ମଉକାରେ ଲୋଲୁପ ଦୃଷ୍ଟି ପକାଉଛନ୍ତି ଓଡ଼ିଶା ସୀମାକୁ। ଆଉ ସୀମାନ୍ତବର୍ତ୍ତୀ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ମାଲକାନଗିରି ଜିଲ୍ଲା ସଦର ବ୍ଲକ ଉଡ଼ୁପା ପଞ୍ଚାୟତର ତଙ୍ଗପାଲ୍ଲୀ ଗାଁ ଲୋକେ ଓଡ଼ିଶାରୁ ମୁହଁ ଫେରାଇନେବାକୁ କହିଲେଣି। ଛତିଶଗଡ଼ରେ ମିଶିଯିବେ। ମୌଳିକ ସୁବିଧା ଦେବାରେ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବକୁ ଦାୟୀ କରି ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଖାଲଖମା ରାସ୍ତା ସାଙ୍ଗକୁ ମୋବାଇଲ ଟାଓ୍ୱାର ନାହିଁ। ସ୍କୁଲରେ ଶିକ୍ଷକ ଅଭାବ ସାଙ୍ଗକୁ ୫ଟି ନଳକୂଅରୁ ୪ଟି ଅଚଳ। ୨୫୦ ପରିବାର ପାଇଁ ଗୋଟିଏ ନଳକୂଅ। ଦୂଷିତ ପାଣି ବ୍ୟବହାରରୁ ଅନେକ ରୋଗରେ ଘାଣ୍ଟି ହେଉଛନ୍ତି ଲୋକେ।

ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ପାନୀୟ ଜଳ ଏବଂ ରନ୍ଧାଖାଦ୍ୟ ଦେବାରେ ସମସ୍ୟା ଉପୁଜିଛିା ୨୫୦ ପରିବାର ମଧ୍ୟରୁ ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଜଣ ହିତାଧିକାରୀ ପାଇଛନ୍ତି ଓ ୨୦ ବର୍ଷ ମଧ୍ୟରେ ମାତ୍ର ୨୦ ଜଣ ବିଜୁ ପକ୍କା ଘର ପାଇଛନ୍ତିା ଗାଁ ସୀମାନ୍ତକୁ ଲାଗିଥିବା ଛତିଶଗଡ଼ର ଚିତାପାଲ୍ଲୀ ଗାଁରେ ଉପଲବ୍ଧ ଥିବା ମୌଳିକ ସୁବିଧାକୁ ତୁଳନା କରି ଓଡ଼ିଶାର ବୋଲି ନିଜକୁ ଲଜ୍ଜିତ ମନେ କରୁଛନ୍ତି ଏଠାକାର ବାସିନ୍ଦା। ଜିଲ୍ଲାପାଳଙ୍କୁ ବହୁବାର ଜଣାଇଥିଲେ ବି ସୁଫଳ ମିଳୁନି। ନିର୍ବାଚନ ବେଳେ ନେତାଙ୍କ ଦେଖା ମିଳେ। ସରିଗଲେ ତୁ କିଏ ନା ମୁଁ କିଏ।

ଏଭଳି ଅଣଦେଖାର ସମ୍ମୁଖୀନ ହେଉଥିବାରୁ ଛତିଶଗଡରେ ମିଶିଯିବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *