ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ବୈଠକ

Spread the love

ଛତ୍ରପୁର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ବୈଠକ ଆଭାସୀ ମାଧ୍ୟମରେ ଗୁରୁବାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ସଦାସର୍ବଦା ସଜାଗ ରହିଛି । ବିଶେଷ କରି ବିଜୁଳି, ଘଡଘଡି ଆଘାତ ଜନିତ କ୍ଷୟକ୍ଷତି ଯେପରି ହେବ ନାହିଁ ସେ ଦିଗରେ ତତ୍ପର ରହିବାକୁ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ । ପୂର୍ବ ବର୍ଷ ମାନଙ୍କରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଏହି ଜିଲ୍ଲା ସୁନାମ ଆଣି ଜାତୀୟ ସ୍ତରରେ ସମ୍ମାନୀତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ଅଭିଜ୍ଞତାକୁ ନେଇ ଏହି ଜିଲ୍ଲା ଆଗାମୀ ଭବିଷ୍ୟତରେ ଆସୁଥିବା ବିପର୍ଯ୍ୟୟକୁ ମଧ୍ୟ ମୁକାବିଲା କରିବାରେ ସକ୍ଷମ ହୋଇ ପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବ୍ୟକ୍ତ କରିଥିଲେ । ପାଣିପାଗ ବିଶେଷଜ୍ଞ ମାନଙ୍କ ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡିଶା ପ୍ରତି ବିପଦ ନାହିଁ । ତଥାପି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସଦା ସର୍ବଦା ପ୍ରସ୍ତୁତ ରହିବା ଅପରିହାର୍ଯ୍ୟ । ଏହି ଆଭିମୁଖ୍ୟ ନେଇ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ଲାଇନ୍ ବିଭାଗୀୟ ଅଧିକାରୀଗଣ ନିଜ ନିଜ ବକ୍ତବ୍ୟରେ ମୁକାବିଲା ସକାଶେ ସଜାଗ ଥିବା ଜଣାଇଥିଲେ ।

 ପ୍ରାରମ୍ଭରେ ଶ୍ରମ ଓ ରାଜ୍‌ଯ କର୍ମଚାରୀ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ବକ୍ତବ୍ୟରେ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଭୂୟସୀ ପ୍ରଶଂସା କରି ସମ୍ଭାବ୍ୟ ବନ୍ୟା, ବାତ୍ୟା ସକାଶେ ସମସ୍ତ ପ୍ରସ୍ତୁତି ଯୋରଦାର କରିବାକୁ ଜଣାଇଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ନିଜ ବକ୍ତବ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଯୋଗୁଁ ଓଡିଶା ଦେଶ ବିଦେଶରେ ସୁନାମ ଆଣିଛି । ଗଞ୍ଜାମ ଜିଲ୍ଲା ଏହାର ପରିଚାଳନା କ୍ଷେତ୍ରରେ ଓଡିଶାରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକରିଛି । ବିଶେଷ ଭାବରେ ବ୍ରହ୍ମପୁର ସହରରେ ଜମି ରହୁଥିବା ବନ୍ୟାଜଳର ନିଷ୍କାସନ ଦିଗରେ ପଦକ୍ଷେପ ନେବା ସମ୍ପର୍କରେ ମତ ରଖି ବିଭିନ୍ନ ବାତ୍ୟା ଆଶ୍ରକୟ ସ୍ଥଳ, ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାପନ ଇତ୍ୟାଦି ବିଷୟରେ ଗୁରୁତ୍ୱ ଦେବାକୁ ଜଣାଇଥିଲେ । ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ପ୍ରମୁଖ ଲୋକ ପ୍ରତିନିଧିଗଣ ନିଜ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାକୁ ପ୍ରଶଂସା କରି ନଦୀ ବନ୍ଧ ଗୁଡିକର ମରାମତି, ଜନ ସାଧାରଣଙ୍କ ଜୀବନ କିଭଳି ସୁରକ୍ଷିତ ରହିବ, ବିପର୍ଯ୍‌ଯୟର ମୁକାବିଲା ସକାଶେ ନିୟୋଜିତ ଜାତୀୟ ବିପର୍ଯ୍ୟୟ ରାପିଡ୍ ଫୋର୍ସ ଏବଂ ଅଗ୍ନିଶମ ନିର୍ବାପକ କର୍ମଚାରୀଙ୍କ ରହଣୀ ସ୍ଥାନ ଠାରୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ କିଭଳି ସଠିକ୍ ସମୟରେ ପହଞ୍ଚି ପାରିବେ ସେହି ରାସ୍ତାର ଗମନାଗମନ ସୁବିଧା କରିବା,. ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥା ଗୁଡିକୁ ପୂର୍ବରୁ ସତର୍କ ଓ ସଜାଗ କରି ରଖିବା, ଚିଲିକା ନିକଟବର୍ତ୍ତି ଖରଖରୀ ନାଳକୁ ଜଳ ନିଷ୍କାସନ ହୋଇ ପାରିଲେ ଚାଷୀକୁଳ ଉପକୃତ ହେବା ଇତ୍ୟାଦି ବିଷୟ ନେଇ ପ୍ରସ୍ତୁତି କରିବାକୁ ଅବଗତ କରାଇଥିଲେ । ଗୋଳନ୍ଥରା ଓ ଗୋପାଳପୁର ଥାନା ଠାରେ ପୂର୍ବରୁ କ୍ରେନ୍ ରଖିବାର ବ୍ୟବସ୍ଥା କଲେ ସୁବିଧା ହେବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମ୍‌. ଅବଗତ କରାଇଥିଲେ ।

 ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟ ରଞ୍ଜନ ପୃଷ୍ଟି ବିଭିନ୍ନ ଲାଇନ୍ ବିଭାଗ କିଭଳି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତ କରିରଖିଛନ୍ତି ତାହା ପଚାରି ବୁଝିଥିଲେ । ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ନିଜ ନିଜ ସ୍ତରରେ କିଭଳି ପ୍ରସ୍ତୁତ କରିରଖିଛନ୍ତି ତାହା ବୈଠକରେ ସମସ୍ତ କମିଟି ସଦସ୍ୟଙ୍କ ଅବଗତି ନିମନ୍ତେ ଜଣାଇଥିଲେ । ନଦୀ ଏବଂ କେନାଲ ଗୁଡିକର ମରାମତି, ଜଳ ନିଷ୍କାସନ ନିମନ୍ତେ ନାଳ ନର୍ଦ୍ଦମା ସଫେଇ, ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍‌, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପଶୁ ସମ୍ପଦର ସୁରକ୍ଷା, କୃଷିକାର୍ଯ୍ୟର ଆକଳନ, ଲିରାପଦ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଯୋଗାଯୋଗ ନିମନ୍ତେ ଟେଲିଫୋନ୍ ବ୍ୟବସ୍ଥା, ଓଡ୍ରାଫ୍‌, ଏନଡିଆରଏଫ୍‌, ଡିଫେନ୍ସ ଫୋର୍ଯ, ଟେଲି କମ୍ୟୁନିକେସନ୍‌, ରାସ୍ତା, ପୋଲର ଦୁଇ ପାର୍ଶ୍ୱର ସୁରକ୍ଷା, ରିଲିଫ୍ କାର୍ଯ୍ୟରେ ନିୟୋଜିତ ଦଳଙ୍କୁ ପ୍ରଶିକ୍ଷଣ ଅତ୍ୟାଦି ସମସ୍ତ ବିଷୟ ନେଇ ଆଲୋଚନା କରାଯାଇଥିଲା । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

 ବୈଠକରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *