ଏଲଗଲ ଗ୍ରାମରେ ଜ୍ଵର ଓ ଝାଡ଼ା ବାନ୍ତି ବ୍ୟାପିଲା : ୧୫ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଏଲଗଲ ଗ୍ରାମରେ ଜ୍ଵର ଓ ଝାଡ଼ା ବାନ୍ତି ବ୍ୟାପିଛି । ଗତ ୫ ଦିନ ମଧ୍ୟରେ ଏହି ଗ୍ରାମରେ ୧୫ରୁ ଅଧିକ ଗ୍ରାମବାସୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ଶ୍ରୀମତୀ ବେହେରା, ହରିବନ୍ଧୁ କାର୍ଜି, ଗଣେଶ ବେହେରା, ଫୁଲ ପ୍ରଧାନ, କୋରାମଣି ବେହେରା, ଅନିଶା ବେହେରା, ଅନନ୍ୟା କାର୍ଜି ଓ ସୀମା କାର୍ଜିଙ୍କ ସମେତ ଗ୍ରାମର କିଛି ଶିଶୁଙ୍କୁ ମିଶାଇ ୧୫ ରୁ ଅଧିକ ଜ୍ଵରରେ ପୀଡ଼ିତ ଅଛନ୍ତି । ସେମାନଙ୍କ ଦେହ ଥରୁଥିବା ଜଣାପଡିଛି । ଏହି ଅପହଞ୍ଚ ଇଲାକାରେ ଡ଼ାକ୍ତର ପହଞ୍ଚି ପାରୁନଥିବା ଏବଂ ରୋଗୀଙ୍କୁ ମେଡ଼ିକାଲ ଆଣିବାକୁ ରାସ୍ତା ନଥିବାରୁ ଦେଶି ଚିକିତ୍ସା ଉପରେ ସେମାନେ ବର୍ତମାନ ନିର୍ଭର କରୁଛନ୍ତି । ଏଯାଏଁ ସ୍ଵାସ୍ଥ୍ୟ ବିଭାଗ ଟିମ୍ ସେଠାରେ ପହଞ୍ଚି ପାରିନାହିଁ । କ୍ଵାକ୍ ମାନେ ସେଠାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଏଲଗଲ ଗ୍ରାମ ବାଘଲଟି ଜଳଭଣ୍ଡାରର ଆର ପାଖରେ ରହିଥିବା ବେଳେ ଏହା ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳରେ ଅବସ୍ଥିତ । ଜଙ୍ଗଲକୁ ଡ଼ାକ୍ତର ଯିବାକୁ ହେଲେ ଗୋଟିଏ ଦିଗରେ ବାଘଲଟି ଜଳଭଣ୍ଡାର ପାର୍ ହେବାକୁ ପଡିଥାଏ । ନଚେତ୍ ରୋଗୀଙ୍କୁ ୭ କି.ମି. ଦୋଳାରେ ବୋହି ତାଡ଼କା ସାହି ଆସିବା ପରେ ଗାଡ଼ିରେ ଖାରିଆଗୁଡ଼ା, ତୁରୁବୁଡ଼ି ଓ ପାତ୍ରପୁରକୁ ନିଆଯାଇଥାଏ । ଏଥିପାଇଁ ମଧ୍ୟ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ସେହିପରି ଗିରିଶିଗଣ୍ଡ ଓ ଝରିବାଡ଼ ସମେତ ୫ଟି ସ୍ଥାନରେ ନାଳ ପାର୍ ହୋଇ ୯ କି.ମି. ଯିବାକୁ ପଡେ । ବର୍ତମାନ ଗ୍ରାମରେ ଜ୍ଵର ଆତଙ୍କ ଦେଖାଦେଇଥିବାରୁ ସ୍ଵାସ୍ଥ୍ୟ ବିଭାଗ ଟିମ୍ ଯୁଦ୍ଧକାଳୀନ ଭିତିରେ ସେଠାରେ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଦାବି ହେଉଛି ।

ତିତିଲି ବାତ୍ୟାରେ ଏଲଗଲ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାପରେ ପ୍ରଶାସନ ଗ୍ରାମର ଲୋକମାନଙ୍କୁ ତୁରୁବୁଡି ପଞ୍ଚାୟତର ଝଗଡ଼ାପଲ୍ଲୀ ନିକଟରେ ଥଇଥାନ କରିବାକୁ ସ୍ଥାନ ଚିହ୍ନଟ କରିଛି । ତେବେ ବିଭିନ୍ନ ସମୟରେ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବିଷୟରେ ଅନୁଧ୍ୟାନ କରି ଥଇଥାନ ପ୍ରତିଶୃତି ଦେଇ ଫେରିଛନ୍ତି କିନ୍ତୁ, ଏଯାଏଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ।

Leave a Reply

Your email address will not be published. Required fields are marked *